ଜଳେଶ୍ୱରରେ କଂଗ୍ରେସର ଜନସମ୍ପର୍କ ଅଭିଯାନ ଓ କିଶାନ ବିଜୟ ଦିବସ ପାଳିତ
- ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ପାର୍ଲାମେଣ୍ଟକୁ ନେବ କଂଗ୍ରେସ
ଜଳେଶ୍ୱର : ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ସରକାର ଉଭୟଙ୍କ ସହିତ କଳିକରିବା ସହିତ କୋଳାକୋଳି ମଧ୍ୟ ହୁଅନ୍ତି । ୨ଟି ଯାକ ସରକାର ଦୁର୍ନିତୀରେ ଲିପ୍ତ ଥିବାରୁ ସେ ସମ୍ପର୍କରେ ଜନସଚେତନତା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ୩ଟି କଳାକୃଷକ ଆଇନ୍କୁ ସରକାର ପ୍ରତ୍ୟହାର କରିନେଇଥିବାରୁ କିଷାନ ବିଜୟ ଦିବସ ପାଳନ କରୁଥିବା ସମ୍ପର୍କରେ ଆୟୋଜିତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଜଳେଶ୍ୱର ଟାଉନ୍ହଲ ପଡ଼ିଆରେ ଆୟୋଜିତ କଂଗ୍ରେସର ଜନଜାଗରଣ ଅଭିଯାନରେ ଜିଲା କଂଗ୍ରେସ ସଭାପତି ସଞ୍ଜିବ କୁମାର ଗିରି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅଖିଳ ଭାରତ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର ଯୋଗଦେଇ ବିଜେଡି ଓ ଭାଜପା ସରକାରର ବହୁ ଗୁମର ଖୋଲିବା ସହିତ କର୍ମୀମାନଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ବିଜେଡି ୨୨ ବର୍ଷର ଶାସନ କାଳରେ ନାରୀ ସଶକ୍ତିକରଣ ନାମରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ନାବାଳିକା ନିଖୋଜ, ବେଆଇନ୍ କାର୍ଯ୍ୟ, ମନ୍ତ୍ରୀଙ୍କର ବ୍ୟଭିଚାର ସମ୍ପର୍କରେ କହିଥିଲେ । ରାଜ୍ୟରେ ପ୍ରତିଦିନ ୧୨ଟି ଧର୍ଷଣ, ୧୮ଟି ନାବାଳିକା ନିଖୋଜ, ୬୮ହଜାର ମହିଳା ନିର୍ଯ୍ୟାତନା ମାମଲା ରୁଜୁ ହେଉଛି । ଗାଁ ଗାଁରେ ମଦଦୋକାନ ଖୋଲା ଯାଉଥିବା ବେଳେ ନିଯୁକ୍ତି ଠପ୍ ହୋଇ ଯାଇଛି । ୧୦କୋଟି ଯୁବକ ଚାକିରୀ ହରାଇଛନ୍ତି । ରାଜ୍ୟରେ ୧୧ହଜାର ଡାକ୍ତରୀ ପଦବି ଥିବା ବେଳେ ୨୮ଶହ ପଦବୀ ଖାଲି ଥିବାରୁ ଜଳେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ନଥିବା କହିଥିଲେ । ସେହିପରି କୃଷକଙ୍କ ଉପରେ ୩ଟି ନୂଆ କଳାଆଇନ୍ କେନ୍ଦ୍ର ସରକାର ଲଦିଦେବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚପାଇ ୭ଜଣଙ୍କୁ ହତ୍ୟା କରିଥିବା ନଜିର ସମ୍ପର୍କରେ କହିଥିଲେ । ୨୦୦୮ ମସିହାରେ କଂଗ୍ରେସ ଅମଳରେ ସୁବର୍ଣ୍ଣରେଖା ସଂସ୍କାର ଲାଗି ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ତାହା ଶୀଳତଭଣ୍ଡାରରେ ପଡ଼ି ରହିଛି । ଆସନ୍ତା ଦିନରେ ଚେଲ୍ଲାକୁମାରଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଲାମେଣ୍ଟରେ ଏହା ଉପସ୍ଥାପନ କରିବ । ସେହିପରି ଦୁର୍ନୀତିଖୋର ନେତାଙ୍କ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅଖିଳ ଭାରତ କଂଗ୍ରେସ ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ଶରଦ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ରକଂଗ୍ରେସ ସଭାପତି ୱାସିର ନବାଜ, ଗତ ନିର୍ବାଚନରେ ଏମ୍ପି ଭାବେ ଲଢ଼ିଥିବା ନବଜ୍ୟୋତି ପଟ୍ଟନାୟକ, ଭୋଗରାଇରୁ ବିଧାୟକଭାବେ ଲଢିଥିବା ସତ୍ୟଶିବ ଦାସ, ଜଳେଶ୍ୱରରୁ ଲଢିଥିବା ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ବ୍ଲକ ସଭାପତି ରାଜିବ ପରିଡା ବକ୍ତବ୍ୟ ରଖି ପେଟ୍ରୋଲ ଦ୍ରବ୍ୟର ମୂଲ୍ୟର ଅହେତୁକ ବୃଦ୍ଧି, ଚାଷୀଙ୍କୁ ସୁବିଧାସୁଯୋଗ ମିଳୁନଥିବା, ଜଳନିଷ୍କାସନର ବ୍ୟବସ୍ଥା ନଥିବା ଏବଂ କଂଗ୍ରେସ ଅମଳରେ ବ୍ୟାପକ ବିକାଶ ଘଟିଥିବ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଦିନରେ କଂଗ୍ରେସ ହଜାରେ ଦିନରେ ହଜାରେ କୋଟି ଟଙ୍କା ବ୍ୟୟରେ ୧୦୦୦ଟି ଶିଳ୍ପ କରିବ ବୋଲି କହିଥିଲେ । ଶେଷରେ ଗିରିଜା ଶଙ୍କ ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
