ପୁଣି ଅଡୁଆରେ କଙ୍ଗନା : ପୁରୀରୁ ମୁମ୍ବାଇ ପୋଲିସରେ ଅନଲାଇନ ମାଧ୍ୟମରେ ଏତଲା
ପୁରୀ : ବଲିଉଡର କ୍ୱିନ୍ ନାମରେ ପରିଚିତ ଥିବା କଙ୍ଗନା ରାଣାୱତ ଏବେ ସର୍ବଦା ବିବାଦରେ ଫସି ରହୁଛନ୍ତି। ତାଙ୍କ ତୁଣ୍ଡରୁ ବାହାରୁଥିବା ପ୍ରତିଟି ଶବ୍ଦ କୌଣସି ନା କୌଣସି ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଉପରେ ପରମାଣୁ ବୋମା ଭଳି ପଡୁଛି। ବିଶେଷ କରି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ କଙ୍ଗନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ନାମରେ ଏଫଆଇଆର ର ବର୍ଷା ହେଉଛି। ଏପରି କି ଓଡିଶାରୁ ମଧ୍ୟ ଏହି ପ୍ରଦ୍ମଶ୍ରୀ ସମ୍ମାନୀତାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି।
ବଲିଉଡ ଅଭିନେତ୍ରୀ ତଥା ପଦ୍ମଶ୍ରୀ କଙ୍ଗନା ରାଣାୱତଙ୍କ ବିରୁଦ୍ଧରେ ପୁରୀରୁ ମୁମ୍ବାଇ ପୋଲିସରେ ଅନଲାଇନ ମାଧ୍ୟମରେ ଏତେଲା ଦିଆଯାଇଛି। ସେବାୟତ ତଥା ଓଲିଉଡ ଅଭିନେତା ଶମ୍ଭୁନାଥ ଖୁଣ୍ଟିଆ ଏହି ଏଫଆଇଆର ଫାଇଲ କରିଛନ୍ତି। ଦେଶର ସ୍ୱାଧୀନତା, ସ୍ୱାଧୀନତା ସଂଗ୍ରାମୀ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ପ୍ରୟୋଗ କରି ମତ ଦେଇଥିବାରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ପଦ୍ମଶ୍ରୀ ସମ୍ମାନକୁ ଫେରାଇ ଅଣାଯାଉ ବୋଲି ଶମ୍ଭୁନାଥ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି।
ଭାରତର ଗୌରବ ସମ୍ମାନ ଗ୍ରହଣ କରି ଦେଶଦ୍ରୋହ ମନ୍ତବ୍ୟକୁ ବିରୋଧ କରି ଏତଲା ଦିଆଯାଇଥିବା ସହ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ଅଭିଯୋଗକାରୀ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି। ତେବେ କେବଳେ ସମ୍ଭୁନାଥ ନୁହଁନ୍ତି, ଶମ୍ଭୁନାଥଙ୍କ ପରି ଅନେକ ବ୍ୟକ୍ତି କଙ୍ଗନାଙ୍କ ବିରୁଦ୍ଧରେ ବିଭିନ୍ନ ରାଜ୍ୟର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାମଲାର ଅଗ୍ରଗତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନା ଯେ, ପଦ୍ମଶ୍ରୀ ସମ୍ମାନ ପାଇବାର ଦିନକ ପରେ ଅଭିନେତ୍ରୀ କଙ୍ଗନା ଏକ ଟିଭି ଇଣ୍ଚରଭ୍ୟୁରେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, ୧୯୪୭ରେ ଭାରତରୁ ସ୍ୱାଧିନତା ଭିକରେ ମିଳିଥିଲା, ପ୍ରକୃତ ସ୍ୱାଧିନତା ୨୦୧୪ ମସିହାରେ ମିଳିଛି। ଏହା ପରେ ସେ ଗାନ୍ଧୀଙ୍କୁ କ୍ଷମତାର ଭୋକିଲା ବୋଲି ମଧ୍ୟ କହିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଘୋଷଣାକୁ ଦୁଃଖଦ, ଲଜ୍ଜାଜନକ ଓ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି।
