ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନା ବେଶ, ସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଶେଷ ହେଉଛି ଧର୍ମ ମାସ କାର୍ତ୍ତିକ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ । ଶ୍ରୀଜିଉଙ୍କର ଏହି ଦୁର୍ଲଭ ବେଶର ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କାରଣ ଭିଡକୁ ଦୃଷ୍ଟିରୁ ରଖି ପ୍ରଶାସନ ପକ୍ଷରୁ ଆଜି ସର୍ବ ସାଧାରଣ ଦର୍ଶନ ବନ୍ଦ ରଖା ଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସୁନା ବେଶକୁ ଭକ୍ତ ଦର୍ଶନ କରିପାରୁନଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି ।
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିବା ଆଶଙ୍କା ଥିବାରୁ ପ୍ରଶାସନର ଏସଓପି ଅନୁଯାୟୀ, ଶୁକ୍ରବାର ସାଧାରଣ ଦର୍ଶନ ବନ୍ଦ ରହିଛି । ତେଣୁ ଏହି ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ରହିଛନ୍ତି । ତେବେ ଭକ୍ତଙ୍କୁ ନିରାଶ କରିନାହାନ୍ତି ମହାପ୍ରଭୁ । ପ୍ରଥମଥର ପାଇଁ ପତିତପାବନଙ୍କୁ ସେବାୟତମାନେ ସୁନାବେଶରେ ସଜ୍ଜିତ କରିଥିବାବେଳେ ଏହି ବେଶ ଦେଖି ଭକ୍ତ ଯେତିକି ଖୁସି ସେବାୟତ ମଧ୍ୟ ସେତିକି ଖୁସି ।
