ରୁଷର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନିନ୍ଦା କରିବା ସହ ଦାୟିତ୍ୱହୀନତା କହିଲା ଆମେରିକା
ୱାଶିଂଟନ୍: ରୁଷ ଦାୟିତ୍ୱହୀନ ଭାବେ ଏକ ବିପଜ୍ଜନକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବାରୁ ଆମେରିକା ଏହାକୁ ନିନ୍ଦା କରି ଦାୟିତ୍ୱହୀନତା ବୋଲି କହିଛି। ଏ ନେଇ ଆମେରିକା କହିଛି ଯେ ଏହି ପରୀକ୍ଷଣ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏଭଳି କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁ ରୁଷର ଏକ ଉପଗ୍ରହ ବିସ୍ଫୋରିତ ହୋଇଛି ଏବଂ ଏହାର ଭଗ୍ନାଂବଶେଷରୁ ରକ୍ଷା ପାଇବା ପାଇଁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ କ୍ୟାପ୍ସୁଲ୍ ମଧ୍ୟରେ ଆଶ୍ରୟ ନେବାକୁ ପଡ଼ିଥିଲା।
ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ୭ ଜଣ ବୈଜ୍ଞାନିକ ଅଛନ୍ତି ଓ ସେମାନଙ୍କ ମଧ୍ୟରେ ୪ ଜଣ ଆମେରିକୀୟ, ଜଣେ ଜର୍ମାନୀ ଓ ରୁଷର ୨ଜଣ ବୈଜ୍ଞାନିକ ଅଛନ୍ତି। ସେହି ମହାକାଶ କେନ୍ଦ୍ର ପୃଥିବୀଠାରୁ ୪୨୦ କିଲୋମିଟର ଦୂରରେ ପରିକ୍ରମା କରୁଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଦ୍ ପ୍ରାଇସ୍ କହିଛନ୍ତି ସେହି ପରୀକ୍ଷଣ ଜନିତ ବିସ୍ଫୋରଣ ୧୫ ଶହରୁ ଅଧିକ ଭଗ୍ନାବଶେଷ ପଡ଼ିଛି। ଏହାଛଡ଼ା ହଜାର ହଜାର ଛୋଟ ଭଗ୍ନାବଶେଷ ମଧ୍ୟ ମହାକାଶରେ ରହିଥିବାରୁ ଏହା ଅନ୍ୟ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି।
