ପୁଣି ଥରେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : କୌନ ବନେଗା କରୋଡ଼ପତିରେ ଦ୍ଵିତୀୟ ଥର ପାଇଁ ପ୍ରଶ୍ନ ପଚାରିଲେ ଅମିତାଭ
ମୁମ୍ବାଇ : ‘କୌନ ବନେଗା କରୋଡ଼ପତି’ ସିଜନ ଜାରି ରହିଛି । ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି। ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି ବିଗ ବି ଅଭିନେତା ଅମିତାଭ ବଚ୍ଚନ। ଏହି ଚ୍ୟାନେଲରେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଆସିଲା ପ୍ରଶ୍ନ । ଆଉ ଏହି ପ୍ରଶ୍ନର ଉତ୍ତରରେ ପ୍ରତିଯୋଗୀ ସଠିକ ଉତ୍ତର ମଧ୍ୟ ରଖିଛନ୍ତି । ତେବେ ଦୁଇ ଥର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ ହେବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଯେ, ଗତ ସେପ୍ଟେମ୍ବର ୩୦ରେ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚାରିଥିଲେ । ସମ୍ଭାବ୍ୟ ଉତ୍ତର ମାନଙ୍କ ମଧ୍ୟରୁ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ୱଳା ମ୍ୟାନ୍ ବୋଲି କହି ସଠିକ୍ ଉତ୍ତର ଦେଇଥିଲେ। ସେହିପରି ଗୁରୁବାର ରାତିରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଅଭିନେତା ଅମିତାଭ ବଚ୍ଚନ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ଥିଲା ଚଳିତ ଜୁଲାଇ ମାସରେ କ୍ୟାବିନେଟ ଅଦଳବଦଳ ପରେ କିଏ ଭାରତର ଶିକ୍ଷା ମନ୍ତ୍ରୀ ହେଲେ ? ପ୍ରଶ୍ନର ଉତ୍ତରରେ ୪ଟି ସମ୍ଭାବ୍ୟ ଉତ୍ତର ଥିଲା ରମେଶ ପୋଖରିୟାଲ, ସ୍ମୃତି ଇରାନୀ, ପ୍ରହ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ହଟ୍ ସିଟରେ ବସିଥିବା ଉତ୍ତରପ୍ରଦେଶ ଲକ୍ଷ୍ନୌର ଜନୈକ ଛାତ୍ର ମାନସ ଅନିଲ ଗାଏକ୍ୱାଡ଼୍ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ସଠିକ୍ ଉତ୍ତର ଦେଇଥିଲେ । ପରେ ଅମିତାଭ ବଚ୍ଚନ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମଧ୍ୟ ଥିବା କହିଥିଲେ ।
