ଲକ୍ଷେ ୨୨ ହଜାର ଟଙ୍କାର ଇଂଜେକସନ ନେଇଛି; ମୋ ଠାରୁ ଆଉ କାହାକୁ କୋରୋନା ହେବନି
ଭୁବନେଶ୍ୱର: ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବୁଧବାର ଦିନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସମତେ ତାଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସୂଚନାଯୋଗ୍ୟ, ବୁଧବାର ସୁରଙ୍କ କୋରୋନା ନମୁନା ଟେଷ୍ଟ କରାଯାଇଥିଲା । ଯାହାପରେ ତାଙ୍କ ରିପୋର୍ଟ ପଜିଟିଭ ହୋଇଥିବା ଜଣା ପଡିଥିଲା । ଏହାପରେ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋରାନ ପଜିଟିଭ ସ୍ଵତ୍ତ୍ୱେ ମଧ୍ୟ ଆଜି ତାଙ୍କୁ ଗାମୁଛା ପିନ୍ଧି ସର୍ବସାଧାରଣରେ ବୁଲୁଥିବା ଦେଖିବାକୁ ମିଳିଛି ।
ମହାମାରୀର ଦୁଇଟିଯାକ ଲହର ସମୟରେ ସୁର କୋରୋନାରେ ଶିକାର ହୋଇନଥିଲେ । ଯେତେବେଳେ ରାଜ୍ୟରେ ମହାମାରୀ ଖୁବ୍ ଜୋରରେ ବ୍ୟାପୁଥିଲା ସେହି ସମୟରେ ଏହି କଂଗ୍ରେସ ବିଧାୟକ କୋରୋନାକୁ ନେଇ ନିଜର ଅଜବ ବୟାନ ଦେଇଥିଲେ ଓ ଯାହା ପାଇଁ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେ ମାସ୍କ ପିନ୍ଧିବେନି କି ତାଙ୍କୁ କୋରୋନା ହେବନି ବୋଲି ଖୋଲା ଖୋଲି ଗଣ ମାଧ୍ୟମ ସାମ୍ନାରେ କହିଥିଲେ । ସେହି ସମୟରେ ରାଜ୍ୟ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଥିଲେ,”କୋରୋନା ଆ ଥୁ, ଖାତିର ନାହିଁ, ପିଆଜ ପକେଟରେ ପକାଇବ ଏହି ସୂର୍ଯ୍ୟ କିରଣ କାମ ଦେବନି, ଆଉ ଖାଇବା ବେଳେ ୨ କିଲୋ ରସୁଣ ଖାଇଦେବ କୋରୋନା କୁଆଡ଼େ ଦୌଡିବ, ପରବା ନାହିଁ, ଭୟ ଫୟ କିଛି ନାହିଁ, ଜଗନ୍ନାଥ ଏମିତି କଲିଜା ଦେଇଛି ଖାତିର ନାହିଁ । ଏ ମାମୁଲି କୋରୋନା ଖାତିର ନାହିଁ ।”
କୋରୋନା ସଂକ୍ରମିତ ହେବା ପରେ ଆଜି ମୁହଁରେ ଗାମୁଛା ବାନ୍ଧି ବାହାରକୁ ଆସିଛନ୍ତି ସୁର ରାଉତରାୟ । ଏହା ସହ ଲକ୍ଷେ ୨୨ ହଜାର ଟଙ୍କାର ଇଂଜେକସନ ନେଇଛି ବୋଲି କହିଛନ୍ତି । ଏହା ସହ ତାଙ୍କଠୁ ଆଉ କାହାକୁ ସଂକ୍ରମଣ ହେବନି କିମ୍ବା ତାଙ୍କର ବି ସଂକ୍ରମଣ ବଢ଼ିବନି ବୋଲି ସେ କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
