ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେବ ବାଲେଶ୍ୱର, ୨୬ରେ ଆସିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେବ ବାଲେଶ୍ୱର। ବାଲେଶ୍ୱର ବାସୀଙ୍କ ଉତ୍ତମ ଚିକିତ୍ସା ସେବାକୁ ଗୁରୁତ୍ୱ ଦେଇ ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବିଏସ୍କେୱାଇର ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।
ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ନିମନ୍ତେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ଏମ୍ପି ତଥା ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡ଼ା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଏବଂ ଦଳୀୟ କର୍ମୀବୃନ୍ଦ ପୋଲିସ ଲାଇନ ପଡ଼ିଆର ଚତୁପାର୍ଶ୍ୱ ବୁଲି ଦେଖିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥାର ତଦାରଖ କରିଛନ୍ତି ।
