ରୋହିତ ଅଧିନାୟକ ହେବା ମାତ୍ରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ପଛରେ ପକାଇ କଲା ବିଶ୍ୱ ରେକର୍ଡ
ଜୟପୁର : ରୋହିତ ଶର୍ମା ଟି-୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଆଗେଇ ନେଇଥିଲେ । ବୁଧବାର ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ବିଜୟ ସହିତ ଭାରତ ବିଶ୍ୱର ଏକ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ସହ ଭାରତୀୟ ଦଳ ଟାର୍ଗେଟକୁ ପିଛାକରି ଟି-୨୦ ଫର୍ମାଟରେ ୫୦ ତମ ବିଜୟ ପଞ୍ଜିକରଣ କରିଛି । ପୂର୍ବରୁ କୌଣସି ଦଳ ଏହା କରିବାକୁ ସକ୍ଷମ ହୋଇନାହାଁନ୍ତି । ଭାରତ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳକୁ ମଧ୍ୟ ପଛରେ ପକାଇ ଦେଇଛି, ଯେଉଁମାନେ ଏପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ୪୯ ଟି ମ୍ୟାଚ୍ ଜିତିଛନ୍ତି । ଲକ୍ଷ୍ୟକୁ ପିଛାକରି ଟି-୨୦ରେ ଅଧିକାଂଶ ମ୍ୟାଚ ଜିତିଥିବା ଦଳ ମଧ୍ୟରେ ୫୦ – ଭାରତ, ୪୯ – ଅଷ୍ଟ୍ରେଲିଆ, ୪୯ – ପାକିସ୍ତାନ, ୪୨ – ଇଂଲଣ୍ଡ, ୩୫ – ଦକ୍ଷିଣ ଆଫ୍ରିକା, ୩୨ – ନ୍ୟୁଜିଲାଣ୍ଡ, ୩୧ – ଶ୍ରୀଲଙ୍କା, ୩୧ – ୱେଷ୍ଟଇଣ୍ଡିଜ୍, ୨୫ – ଆୟର୍ଲାଣ୍ଡ, ୨୩ – ନେଦରଲାଣ୍ଡ, ୨୨ – ଆଫଗାନିସ୍ତାନ, ୨୨ – ବାଂଲାଦେଶ ।
ପ୍ରଥମ ଟି -୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତର ବିଜୟର ହିରୋମାନେ ହେଲେ ସୂର୍ୟ୍ଯକୁମାର ଯାଦବ ଏବଂ ରୋହିତ ଶର୍ମା ଯିଏ ଯଥାକ୍ରମେ ୬୨ ଓ ୪୮ ରନ୍ ସଂଗ୍ରହ କରିଥିଲେ । ସୂର୍ୟ୍ଯକୁମାର ୪୦ ଟି ବଲ ଖେଳି ୬ ଟି ଚୌକା ଓ ୩ ଛକା ମାରିଥିବାବେଳେ ରୋହିତ ୩୬ ଟି ବଲରେ ସମ୍ମୁଖୀନ ହୋଇଥିଲେ ଏବଂ ୫ ଚୌକା ଓ ୬ ଟି ଛକା ମାରିଥିଲେ, କିନ୍ତୁ ଅର୍ଦ୍ଧଶତକ ପାଇଁ ୨ ରନ ଆବଶ୍ୟକ ଥିବାବେଳେ ଆଉଟ ହୋଇଯାଇ ଥିଲେ।
