ବିଧାୟକଙ୍କ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ : ‘ଆତଙ୍କୀତ କରୁଥିବା ନେତାଙ୍କ ହାତ, ଗୋଡ଼ ଭାଙ୍ଗିଦିଅ’
କୋଲକାତା : ପଶ୍ଚିମବଙ୍ଗର ଜଣେ ଭାରତୀୟ ଜନତା ପାର୍ଟି ବିଧାୟକ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିଜେପି ବିଧାୟକ ସ୍ୱପନ ମଜୁମଦାର ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ କୌଣସି ପରିସ୍ଥିତିରେ ଦଳର ପୀଡିତ କର୍ମୀଙ୍କ ନିକଟରେ ଠିଆ ହେବେ। ମଜୁମଦାର ବଙ୍ଗଳା ସାଉଥରୁ ବିଜେପି ଟିକଟରେ ବିଧାୟକ ହୋଇଛନ୍ତି।
ବିଜେପି ପାର୍ଟି ସଭାରେ ସମର୍ଥକଙ୍କୁ ଭିଡିଓରେ ସ୍ୱପନ ମଜୁମଦାର କହୁଛନ୍ତି, “ଯଦି କୌଣସି ଟିଏମସି ନେତା ଆମ କର୍ମୀମାନଙ୍କୁ ମିଥ୍ୟା ମାମଲାରେ ଫସାନ୍ତି, ଯଦି ଆମ କର୍ମୀମାନଙ୍କୁ ଆତଙ୍କିତ କରନ୍ତି, ତେବେ ସେହି ନେତା ନିରାପଦରେ ଫେରି ପାରିବେ ନାହିଁ। ବହୁତ ହେଇଗଲା। ଆତ୍ମରକ୍ଷା ପାଇଁ ତାଙ୍କ ହାତ ଏବଂ ଗୋଡ ଭାଙ୍ଗି ମୋ ପାଖକୁ ଆସ। ମୁଁ ଆପଣଙ୍କ ନିକଟରେ ଠିଆ ହେବାର ପ୍ରତିଜ୍ଞା କରୁଛି।” ତେବେ ବର୍ତ୍ତମାନ ସୁଦ୍ଧା ମଜୁମଦାରଙ୍କ ଏହି ଭିଡିଓର ସତ୍ୟତା ସ୍ପଷ୍ଟ ହୋଇନାହିଁ। ମଜୁମଦାରଙ୍କ ଅଭିଯୋଗର ଜବାବରେ ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଏହା ବିଜେପି ନେତାଙ୍କ ମାନସିକତା ଏବଂ ସଂସ୍କୃତିକୁ ଦର୍ଶାଉଛି। ଆମେ ଏପରି ଭାଷା, ଶବ୍ଦ ଏବଂ ଧମକକୁ ଦୃଢ ନିନ୍ଦା କରୁଛୁ। ଏହି ଅଞ୍ଚଳରେ ଟିଏମସିର ଲୋକପ୍ରିୟତାକୁ ନେଇ ହତାଶ ହୋଇ ସେ ଏପରି ଧମକ ଦେଉଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ, ତାଙ୍କ ଦଳ ହିଂସା ରାଜନୀତିରେ ବିଶ୍ୱାସ କରେ ନାହିଁ। ଯଦି ବିଧାୟକ ମଜୁମଦାର ଏପରି ମନ୍ତବ୍ୟ ଦେଇଛନ୍ତି, ତେବେ ଏହା ସ୍ଥାନୀୟ ଟିଏମସି ନେତା ଏବଂ ସରକାରଙ୍କ ଧମକକୁ ନେଇ ଏକ ପ୍ରତିକ୍ରିୟା ବୋଲି ସେ କହିଛନ୍ତି। ସରକାର ଏହି ଅଞ୍ଚଳର କୌଣସି ବିଜେପି କର୍ମୀଙ୍କୁ ଧମକ ଦେଇନାହିଁ ବୋଲି ଟିଏମସି ସଫେଇ ଦେଇଛି।
