୨ ଘଣ୍ଟା ଧରି ଯବାନ-ମାଓବାଦୀ ଗୁଳିବିନିମୟ : ୫ ମାଓବାଦୀ ନିହତ, ବିସ୍ଫୋରକ ମାଓ ସାମଗ୍ରୀ ଜବତ
ମାଲକାନଗିରି : ଛତିଶଗଡ ମହାରାଷ୍ଟ୍ର ସୀମାନ୍ତ ଗଡଚିରୋଲୀରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏଥିରେ ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେହିପରି ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଯେ, କତଗୋଲ ଥାନା ଅନ୍ତର୍ଗତ ଗାରାହପତି ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଯାହାର ଗୁଇନ୍ଦା ସୂଚନା ପୋଲିସ ବିଭାଗକୁ ମିଳିଥିଲା । ଏହାକୁ ଆଧାର କରି ମହାରାଷ୍ଟ୍ର ପୋଲିସର ସି-୬୦ ବାହିନୀର ଯବାନ ମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନ । ଦୀର୍ଘ ୨ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ପାଞ୍ଚ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପରକ ମଧ୍ୟ ଜବତ ହୋଇଛି । ଏବେବି ସେଠାରେ ଅପରେସନ ଜାରି ରହିଛି ।
