୫-ଟି ଉପକ୍ରମରେ ବାଲେଶ୍ୱର ଜିଲାର ୨୩ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ
ବାଲେଶ୍ୱର : ବାଲେଶ୍ୱର ଜିଲାର ୨୩ ସମେତ ରାଜ୍ୟର ୫ ଜିଲାର ୧୪୨ଟି ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି (ଭର୍ଚୁଆଲ)ରେ ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ଜିଲାର ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଲୋକାର୍ପଣ କରିବା ସହ ଜଣେ ଜଣେ ଛାତ୍ରୀଙ୍କ ଅନୁଭୁତି ଶୁଣିଥିଲେ । ସମ୍ପୃକ୍ତ ଛାତ୍ରୀଙ୍କୁ ତାଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରତିଭାର ଉଚିତ୍ ବିନିଯୋଗ ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ । ଛାତ୍ରଛାତ୍ରୀମାନେ ବଡ ବଡ ସ୍ୱପ୍ନ ଦେଖିବା ସହିତ ଜୀବନର ସବୁ ଆହ୍ୱାନର ସାମ୍ନା କରିବା ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢିବାକୁ ସେ ପରାମର୍ଶ ଦେଇଥିଲେ । ହାଇସ୍କୁଲ ରୂପାନ୍ତରଣ ଦ୍ୱାରା ସହରାଂଚଳ ଓ ଗ୍ରାମାଂଚଳ ସ୍କୁଲ ମଧ୍ୟରେ ଥିବା ତାରତମ୍ୟ ଦୂର ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ । ସେହିପରି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ରାଜ୍ୟର ଗୌରବ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଶେଷ କରି ବିଦ୍ୟାଳୟ ରୂପାନ୍ତରଣ ହେବା ଫଳରେ ରାଜ୍ୟର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ସେ ଅବଗତ କରିଥିଲେ । ଏହି କ୍ରମରେ ବାଲେଶ୍ୱର ଜିଲାର ଏହି ପ୍ରଥମ ପର୍ଯ୍ୟାୟ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟ ପର୍ଯ୍ୟଟନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାଜ୍ୟର ଶିକ୍ଷାର ବିକାଶରେ ସରକାରଙ୍କ ରୂପାନ୍ତରିତ ବିଦ୍ୟାଳୟ ଯୋଜନା ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ଏହା ଦ୍ୱାରା ବିଦ୍ୟାଳୟର ଉନ୍ନତୀକରଣ ସାଙ୍ଗକୁ ଉତମ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇଛି । ନୂଆ ପରିବେଶ ମଧ୍ୟରେ ଶିକ୍ଷାଗ୍ରହଣ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଇଛି ପାରିଛି । ଏନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଜିଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ବାଲେଶ୍ୱର ଜିଲାର ୨୩ ଗୋଟି ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସମେତ ଜିଲାବାସୀଙ୍କ ପାଇଁ ନୂଆ ଅନୁଭୁତି ଆଣିପାରିଛି ବୋଲି ସେ ଆଭାସିରେ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ଜଣାଇଥିଲେ । ଏହି ଅବସରରେ ପବ୍ଲିକ ସ୍କୁଲର ଛାତ୍ରୀ ଅଭିଲପ୍ସା ଲେଙ୍କା ରୂପାନ୍ତରିତ ବିଦ୍ୟାଳୟର ଶିକ୍ଷାଗ୍ରହଣ କ୍ଷେତ୍ରରେ ନିଜର ଅନୁଭୁତି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କହିଥିଲେ । ବିଦ୍ୟାଳୟ ପରିବେଶ, ଶେଣୀଗୃହ, ସଭାଗୃହ, ସ୍ମାର୍ଟ ବୋର୍ଡ଼, ଇ-ଲାଇବ୍ରେରୀ, ସ୍ମାର୍ଟ ଲାବ, କମ୍ପ୍ୟୁଟର ଲାବ ସାଙ୍ଗକୁ ଉନ୍ନତ ମାନର ପରିମଳ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଯୋଗ ବୋଲି ସେ କହିଥିଲେ । ଜୀବନର ଲକ୍ଷ୍ୟ ନେଇ ମୁଖମନ୍ତ୍ରୀଙ୍କ ପ୍ରଶ୍ନରେ ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାକୁ ଚାହୁଁଥିବା ଅଭିଲିପ୍ସା କହିଥିଲେ । ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଏଥିରେ ମଂଚାସୀନ ଥିଲେ ।
ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀମଣି ସାହୁ ସ୍ୱାଗତ ଅଭିଭାଷଣ ଓ ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲା ସ୍କୁଲ ଓ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଟାଉନ ସରକାରୀ ହାଇସ୍କୁଲ ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ମୋହନ ସୂତାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପୂର୍ବାଂଚଳ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ ଲାଲ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ୨୩ ଗୋଟି ରୂପାନ୍ତରିତ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତା, ପୁରାତନ ଛାତ୍ର ପରିଷଦ କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ । ମୋ ସ୍କୁଲ ଅଭିଯାନରେ ଜିଲାର ବିଭିନ୍ନ ସ୍କୁଲକୁ ଆର୍ଥିକ ଅନୁଦାନ ଦେଇଥିବା ୧୧ଜଣ ହୃଷୀକେଶ ପତି, ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ କୁମାର ପଣ୍ଡା, ମାୟାଧର ମହାକୁଡ, ଡ. ଶଶୀଭୂଷଣ ରଥ, ତୁଳସୀ ରଞ୍ଜନ ମିଶ୍ର, ସୁଶାନ୍ତ ପ୍ରାମାଣିକ, ଡ. ମନୋଜ କୁମାର ଘୋଷାଲ, ପ୍ରବୀର କୁମାର ପ୍ରଧାନ, ଚନ୍ଦନ କୁମାର ଜେନା ଏବଂ ଇଂ. ସତ୍ୟଗୋପାଳ ମହାପାତ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଆଉ ୧୮୭ ଗୋଟି ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଥିବା ଜିଲା ଶିକ୍ଷାଧିକାରୀ ଶ୍ରୀ ସୂତାର ସୂଚନା ଦେବା ସହିତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


