ବିବାହ ପାଇଁ ପରିବାର ଲୋକେ ଅରାଜି : ବିଷପିଇ ପ୍ରେମିକ ମୃତ, ଆଇସିୟୁରେ ପ୍ରେମିକା
ବାଲେଶ୍ୱର : ବିବାହ ପାଇଁ ପ୍ରେମିକ ଓ ପ୍ରେମିକାର ପରିବାର ଲୋକେ ଅରାଜି ହେବାରୁ ପ୍ରେମୀଯୁଗଳ ଆତ୍ମହତ୍ୟା ଉଦ୍ୟମରେ ବିଷ ପିଇଥିଲେ । ଉଭୟ ଗୁରୁତର ହୋଇପଡ଼ିବାରୁ ପ୍ରେମୀଯୁଗଳଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ପ୍ରେମିକର ମୃତ୍ୟୁ ହୋଇଯାଇଥିଲାବେଳେ ପ୍ରେମିକା ଆଇସିୟୁରେ ଚିକିତ୍ସାଧୀନ ଥିବା ଘଟଣା ସୋର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ସୋର ଥାନା ଅନ୍ତର୍ଗତ ମୁଳିସିଂ ପଂଚାୟତର ଈଶାଣମୁଣ୍ଡଳୀ ଗ୍ରାମର ଦାମ ଦାସଙ୍କ ପୁଅ ବସନ୍ତ ସେହି ଗ୍ରାମର ଜନୈକା ଯୁବତୀକୁ ଭଲ ପାଉଥିଲେ । ଉଭୟ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଜିଦ୍ ଧରିଥିବା ବେଳେ ଉଭୟ ପକ୍ଷର ପରିବାର କିନ୍ତୁ ଏହି ବିବାହ ପାଇଁ ପ୍ରତିବନ୍ଧକ ସାଜିଥିଲେ । ନିଜର ପ୍ରେମିକକୁ ବିବାହ ନକରିବାର ଦୁଃଖରେ ମ୍ରିୟମାଣ ହୋଇ ବୁଧବାର ଦିନ ପ୍ରେମିକା ପ୍ରଥମେ ବିଷ ପିଇଦେଇଥିଲେ । ପରିବାର ପକ୍ଷରୁ ପ୍ରଥମେ ସୋର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଅବସ୍ଥା ଅତି ଗୁରୁତର ଥିବାରୁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପ୍ରେମିକା ବିଷ ପିଇଦେଇଥିବାର ଜାଣି ପ୍ରେମିକ ବସନ୍ତ ପ୍ରେମିକାକୁ ନପାଇବା ଦୁଃଖରେ ଭାଙ୍ଗିପଡ଼ି ପରେ ପରେ ବିଷ ପିଇଦେଇଥିଲା । ସୋର ଡ଼ାକ୍ତରଖାନାରୁ ମ୍ମ ଚିକିତ୍ସା ପାଇଁ ତାକୁ କଟକ ନିଆଯାଇଥିଲା । ଆଜି ପ୍ରେମିକ ଜଣକ ମୃତ୍ୟୁବରଣ କରିଥିବାର ଜଣା ପଡ଼ିଛି । ପ୍ରେମିକାର ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସମ୍ପୃକ୍ତ ଅଂଚଳରେ ଏହି ଖବର ପ୍ରଚାରିତ ହୋଇଯିବା ପରେ ଶୋକର ଛାୟା ଖେଳି ଯାଇଛି ।
