ବନ୍ଦ ନୁହେଁ, ହରତାଳ : ହାଇକୋର୍ଟ
କଟକ : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିପାରିବେ। ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ । ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନି । ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ରାସ୍ତାଘାଟରେ ଗାଡି ଅଟକାଇପାରିବେନି । ସେହିପରି ଟ୍ରେନ, ବସ ଚଳାଚଳକୁ ମଧ୍ୟ ରୋକାଯିବ ନାହିଁ । ସାଧାରଣ ଜନଜୀବନ ପ୍ରଭାବିତ କଲା ଭଳି କାମ ହେବା ଉଚିତ ନୁହେଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମମିତା ମେହେର ହତ୍ୟା ଘଟଣାରେ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା। ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ବିରୋଧରେ କଟକର ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଶୁଣାଣି ପାଇଁ ଅପରାହ୍ଣ ୪ଟା ଧାର୍ଯ୍ୟ କରିଥିଲେ। ଶୁଣାଶି କରି ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି, ଯେଉଁ ଆଧାରରେ କୌଣସି ପ୍ରକାରରେ ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ। ତେଣୁ ବନ୍ଦ ବଦଳରେ କେବଳ ହରତାଳ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ। ଏପରିକି ରେଳ ରୋକ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, କମିଶନରେଟ୍ ପୁଲିସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିଜିପି ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଭର୍ଚୁଆଲୀ ଉପସ୍ଥିତ ରହିଥିଲେ। ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଆସନ୍ତା ୧୨ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଛି । ୧୨ ତାରିଖରେ କଂଗ୍ରେସ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ପାଇଁ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ହ୍ରାସ କରାଯାଇ ୬ ଘଣ୍ଟା କରାଯାଇଛି।
