ଭାଲୁ ଆକ୍ରମଣରୁ ବର୍ତ୍ତିଲେ ୨ ଯୁବକ
ନୀଳଗିରି : ନୀଳଗିରି ଏନ.ଏ.ସି. ଅର୍ନ୍ତଗତ ୨ନଂ. ୱାର୍ଡ ଘାଟଘରସାହି ଗ୍ରାମର ଗୟାଧର ବେହେରା ରବିବାର ଭୋର ସମୟରେ ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରାତଃ ଭ୍ରମଣରେ ଆସିଥିଲେ । ସକାଳ ସମୟରେ ବଡ଼ଦାଣ୍ଡ ମଝିରେ ଥିବା ସଙ୍କରାଖୁଣ୍ଟା ପୋଖରୀ ନିକଟରେ ଏକ ଭାଲୁ ହଠାତ୍ ବାହାରିପଡ଼ି ଶ୍ରୀ ବେହେରାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ନିଜ ଜୀବନ ବଞ୍ଚାଇବାକୁ ଯାଇ ଶ୍ରୀ ବେହେରା ନିକଟସ୍ଥ ସଂକରାଖୁଣ୍ଟା ପୋଖରୀକୁ ଡିଆଁ ମାରିଦେଇଥିଲେ । ଭାଲୁଟି ରାସ୍ତା ବଦଳାଇ ଘଟଣାସ୍ଥଳରୁ ପଳାଇଯାଇଥିଲା । ସେହିପରି ଏନ.ଏ.ସି.ର ବାଇପାସ ରାସ୍ତାରେ ମୁନା ଦାସ ଘର ପାଖରେ ଫୁଲ ତୋଳିବାକୁ ଆସୁଥିବା ବେଳେ ହଠାତ୍ ସାମ୍ନାରେ ଭାଲୁଟିକୁ ଦେଖି ଘରକୁ ଦୌଡ଼ି ପଳାଇ ଯାଇଥିଲେ । ଭାଲୁ ଆତଙ୍କରେ ଏବେ ନୀଳଗିରି ଏନ.ଏ.ସି. ବାସୀ ଭୟବୀତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଏବେ ସହର ମୁହାଁ ହୋଇଥିବା ଦେଖିବାକୁ ମିଳୁଛି ।
