ଆତଙ୍କି ଆକ୍ରମଣ ପଣ୍ଡ, ୩ ଗିରଫ
ଚଣ୍ଡୀଗଡ଼ : ପଞ୍ଜାବ ପୋଲିସର ବଡ ସଫଳତା। ଭାରତ-ପାକ ସୀମାନ୍ତ ନିକଟରେ ଆତଙ୍କି ଆକ୍ରମଣ ପଣ୍ଡ । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ବୋଝେଇ ଏକ ଟିଫିନ ବୋମା ଜବତ କରାଯାଇଛି ।
ଭାରତ-ପାକିସ୍ତାନ ସୀମାନ୍ତ ପଞ୍ଜାବର ଫିରୋଜପୁର ଜିଲାର ଅଲି କେ ଗ୍ରାମରୁ ବୁଧବାର ଏହି ଟିଫିନ ବୋମା ଜବତ କରାଯାଇଥିବା ପଞ୍ଜାବ ପୋଲିସ ପକ୍ଷରୁ କୁହାଯାଇଛି । ତାହା ପୂର୍ବରୁ ଜଲାଲାବାଦ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଥିବା ସନେ୍ଦହରେ ପୁଲିସ ତିନିଜଣଙ୍କୁ ଗିରଫ କରି ସେମାନଙ୍କୁ ଜେରା କରୁଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଇକବାଲ ପ୍ରୀତ ସିଂ ସାହୋଟା କହିଛନ୍ତି ଯେ ପଞ୍ଜାବର ପୁଲିସର ଅଧିକାରୀଙ୍କର ଏକ ଦଳ ଦୁଇଜଣଙ୍କୁ ଗିରଫ କରିଥିଲେ । ସେମାନେ ଜଲାଲାବାଦ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ରଣଜିତ ସିଂ ଓହରଫ ଗୋରାକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଏହି ଦୁଇଜଣ ହେଉଛନ୍ତି ଫିରୋଜପୁର ଜିଲା ଝୁଗେ ନିହଙ୍ଗ ୱାଲେ ଗ୍ରାମର ଜଶୱନ୍ତ ସିଂ ଓରଫ ଶିନ୍ଦା ବାବା ଏବଂ ଲୁଧିଆନା ଅନ୍ତର୍ଗତ ୱାଲିପୁର ଖୁର୍ଦର ବାସିନ୍ଦା ବଲୱନ୍ତ ସିଂ । ପୁଲିସ ଇତିମଧ୍ୟରେ ରଣଜିତ ସିଂକୁ ମଧ୍ୟ ଗିରଫ କରିସାରିଛି । ପୁଲିସ କହିବା ଅନୁଯାୟୀ ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଚାଷ ଜମିରେ ଟିଫିନ ବୋମା ଲୁଚାଇ ରଖାଯାଇଥିବା ସୂଚନା ଦେବାପରେ ପୁଲିସ ସେଠାରୁ ଉକ୍ତ ବୋମା ସମେତ ଦୁଇଟି ପେନ ଡ୍ରାଇଭ, ନଗଦ ୧.୧୫ ଲକ୍ଷ ଟଙ୍କା ଆଦି ଜବତ କରିଛି ।
