ଟିକାକରଣରେ ପଛୁଆ ରହିଥିବା ଜିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
- ୪୦ରୁ ଅଧିକ ଜିଲାର ଜିଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
- ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ‘ହର ଘର ଟିକା, ଘର ଘର ଟିକା’
ନୂଆଦିଲ୍ଲୀ : ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ୫୦ ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲାମାନଙ୍କୁ ସାମିଲ କରାଯାଇଥିଲା । କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର ୪୦ରୁ ଅଧିକ ଜିଲାର ଜିଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ । ଜିଲାପାଳମାନେ ସେମାନଙ୍କ ଜିଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ । ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ କାରଣ ଥିଲା । ଏସବୁ ଆହ୍ୱାନର ମୁକାବିଲା ଲାଗି ବର୍ତମାନ ସୁଦ୍ଧା ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ସାର୍ବଜନୀନ ଟିକାକରଣ ପ୍ରସାରକୁ ତ୍ୱରାନ୍ୱିତ କରିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ବିଷୟରେ ଜିଲାପାଳମାନେ ବିସ୍ତୃତ ସୂଚନା ଦେଇଥିଲେ ।
ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଏବଂ ସ୍ଥାନୀୟ କାରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହୋଇଥିଲେ । ସେ ଏସବୁ ଜିଲାରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକାରୀ କରାଯିବାକୁ ଥିବା ସମ୍ଭାବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଲାଗି ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଟିକାକରଣ ପ୍ରସାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟମାନଙ୍କ ନିକଟରେ ଉପଲବ୍ଧ ଟିକା ଡୋଜ ସମ୍ପର୍କରେ ସେ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଟିକାକରଣ ପ୍ରସାର ବୃଦ୍ଧି କରିବା ଲାଗି ରାଜ୍ୟମାନଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ସେମାନେ ଏଥିପ୍ରତି ଧ୍ୟାନ ଦେବା କାରଣରୁ ଜିଲାମାନେ ଆହୁରି ପ୍ରତିବଦ୍ଧତା ସହିତ କାମ କରିବା ଲାଗି ଅନୁପ୍ରାଣିତ ହେବେ । ଶ୍ରୀ ମୋଦୀ କହିଥିଲେ ଯେ ଏହା ହେଉଛି ଶତାବ୍ଦୀର ସବୁଠୁ ବଡ଼ ମହାମାରୀ, ଦେଶ ଅନେକ ବିପତ୍ତିର ସମ୍ମୁଖିନ ହୋଇଛି । ସେ କହିଥିଲେ ଯେ, କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ହେଉଛି ଆମେ ନୂଆ ସମାଧାନ ପାଇଛୁ ଏବଂ ଅଭିନବ ପଦ୍ଧତି ଆପଣାଇଛୁ । ସେ ପ୍ରଶାସକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନଙ୍କ ଜିଲାରେ ଟିକାକରଣ ବଢ଼ାଇବା ଲାଗି ନୂଆ ଅଭିନବ ଉପାୟ ସନ୍ଧାନ କରି ତା’ଉପରେ ସେମାନେ କାର୍ଯ୍ୟ କରିବା ଉଚିତ୍ । ଟିକାକୁ ନେଇ ରହିଥିବା ଗୁଜବ ଏବଂ ଭ୍ରାନ୍ତ ଧାରଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ସଚେତନତା ହିଁ ଏହାର ଏକମାତ୍ର ସମାଧାନ । ଧାର୍ମିକ ନେତାମାନଙ୍କ ଠାରୁ ଏ କ୍ଷେତ୍ରରେ ସହାୟତା ନେବା ଲାଗି ସେ ଜିଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଲୋକମାନଙ୍କୁ ନିରାପଦ ଭାବେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ଠାରୁ ଏବେ ଘରକୁ ଘର ଯାଇ ଟିକାକରଣ କରିବା ଲାଗି ରଣନୀତିରେ ପରିବର୍ତନ ଆଣିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ‘ହର ଘର ଟିକା, ଘର ଘର ଟିକା’- ସମସ୍ତଙ୍କ ଘର ଦୁଆରେ ଟିକା ପହଂଚାଇବାର ଉତ୍ସାହ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବା ଲାଗି ସେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଂଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ । ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଂଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଂଚିବୁ ।” ପ୍ରତ୍ୟେକ ଘର ଦୁଆରେ ପହଞ୍ଚିବା ସମୟରେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍ ସହିତ ପ୍ରଥମ ଡୋଜ୍ ଦିଆଯିବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କାରଣ ଯେତେବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥାଏ, ସେତେବେଳେ ଜରୁରି ପଦକ୍ଷେପ ଗ୍ରହଣ କରିବାର ଭାବନା ମଧ୍ୟ ହ୍ରାସ ପାଇଥାଏ । ଟିକା ନେବାର ଜରୁରି ଆବଶ୍ୟକତା ଲୋକମାନଙ୍କ ମନରୁ ଧିରେ ଧିରେ କମି ଯାଇଥାଏ । ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିନଥିବା ଲୋକମାନଙ୍କ ସହିତ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କାରଣ ଏହାକୁ ଅଣଦେଖା କରିବାର କୁପରିଣାମ ଆଜି ବିଶ୍ୱର ଅନେକ ରାଷ୍ଟ୍ର ଭୋଗୁଛନ୍ତି ବୋଲି ଶ୍ରୀ ମୋଦୀ ଚେତାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ଗୋଟିଏ ଦିନରେ ରେକର୍ଡ ଅଢ଼େଇ କୋଟି ଟିକାକରଣ କରିଛି, ଏହା ଉପଲବ୍ଧି ଭାରତର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ସେ କହିଥିଲେ । ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲାର ସହଯୋଗୀମାନଙ୍କ ଠାରୁ ଅଭିନବ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶିକ୍ଷାଲାଭ କରିବା ଲାଗି ଜିଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଆବଶ୍ୟକତା ଓ ପରିବେଶ ପାଇଁ ଅନୁକୂଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ ।
