୩ରେ କମ୍ ଟିକାକରଣ ହୋଇଥିବା ଜିଲାର ଜିଲାପାଳଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ କମ୍ ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ। ବୁଧବାର ଏହି ବୈଠକ ବସିବ। ଏଯାବତ୍ ଦେଶରେ ୧୦୬ କୋଟିରୁ ଅଧିକ ଲୋକ କୋଭିଡ-୧୯ ଟିକା ନେଇସାରିଲେଣି । ହେଲେ କିଛି ଜିଲା ଏମିତି ଅଛି ଯେଉଁ ଜିଲାଗୁଡିକରେ ଟିକାକରଣ ସନ୍ତୋଷଜନକ ନୁହେଁ । ପ୍ରଧାନମନ୍ତ୍ରୀ ସେହିଭଳି ଜିଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩ ତାରିଖରେ ବୈଠକ କରିବେ ବୋଲି ସୂଚନା ମିିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବେ ଇଟାଲୀ ଗସ୍ତରେ ଅଛନ୍ତି । ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀ ଏବଂ ସିଓ ୨୬ରେ ଯୋଗଦେଇ ଫେରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ।
ଏହି ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ କଭରେଜ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ୍ ଜିଲାଗୁଡିକ ଅନ୍ତର୍ଭୁକ୍ତ ହେବ। ବିଶେଷ କରି ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ୪୦ରୁ ଅଧିକ ଜିଲାର ଜିଲାପାଳ ସହ ଆଲୋଚନା କରିବେ ମୋଦି । ଏହି ଅବସରରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ସୂଚନା ଯେ, ଅକ୍ଟୋବର ୨୧ ତାରିଖରେ ଭାରତ ୧୦୦ କୋଟି ଟିକାରଣ ଲକ୍ଷ୍ୟ ପୂରଣ କରିଥିଲା । ହେଲେ ଏବେର ସୂଚନା ମୁତାବକ ଏଭଳି ୧୦ କୋଟି ଲୋକ ଅଛନ୍ତି ଯିଏ କି ଟିକାର ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି । ସରକାରଙ୍କ ଲକ୍ଷ୍ୟ ଯେ ୩-୪ ମାସ ମଧ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକ ଯେଭଳି ଟିକା ନେଇଯିବେ । ସେନେଇ ଟିକା ଉତ୍ପାଦନ ଉପରେ ସରକାର ଫୋକସ୍ କରିଛନ୍ତି । ଭାରତରେ ଟିକାକରଣ ବୃଦ୍ଧି ଫଳରେ କରୋନା ସଂକ୍ରମଣ ବି କମିବାରେ ଲାଗିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ୧୫-୨୦ ହଜାର ମଧ୍ୟରେ ରହିଛି । ହେଲେ କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର ହୋଇଯାଇଥିଲା ।
