ଭାଙ୍ଗିଲା ଗତବର୍ଷର ରେକର୍ଡ : ନଭେମ୍ବର ୪ ପର୍ଯ୍ୟନ୍ତ ଚାରଧାମ ଯାତ୍ରା ବୁକିଙ୍ଗ ଫୁଲ
ଡେରାଡୁନ : ଚଳିତବର୍ଷ ଚାରଧାମ ଯାତ୍ରା ନିୟମିତ ସମୟର ଢେର ବିଳମ୍ବରେ ଆରମ୍ଭ ହୋଇଥିଲା। କୋଭିଡ-୧୯ ଯୋଗୁ ସରକାର ଯାତ୍ରା ଅନୁମତି ଦେବାକୁ ଥତମତ ହେଉଥିଲେ। ତେବେ ଅନୁମତି ମିଳିବା ପରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଗତବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡିଛି। ଚାରଧାମ ଯାତ୍ରା କାଳରେ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ହଜାର ହଜାର ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡ ଦେବ ଭୂମିରେ କେଦାରନାଥ ଓ ବଦ୍ରିନାଥ ଦର୍ଶନ କରିଛନ୍ତି। ଚାରଧାମ ଯାତ୍ରା ବଦ୍ରିନାଥ, ଦ୍ୱାରକା, ପୁରୀ ଓ ରାମେଶ୍ୱରମକୁ ନେଇ ହୋଇଥାଏ। ଏହି ଯାତ୍ରାରେ ତୀର୍ଥ ଯାତ୍ରୀ ରାସ୍ତାରେ ପଡୁଥିବା କେଦାରନାଥ ଓ ଦେବଭୂମି ଦର୍ଶନ ମଧ୍ୟ କରିଥାନ୍ତି। ଚାରଧାମ ଯାତ୍ରାରେ ଚଳିତବର୍ଷ ଏପର୍ଯ୍ୟନ୍ତ ପାଖାପାଖି ୪ ଲକ୍ଷ ତୀର୍ଥ ଯାତ୍ରୀ ଦର୍ଶନ ଶେଷ କରିଥିବା ବେଳେ ୨ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ କେଦାରନାଥ ଦର୍ଶନ କରିଛନ୍ତି। ନଭେମ୍ବର ୬ ତାରିଖରେ କେଦାରନାଥଙ୍କ କବାଟ ପଡିବ। ତେବେ ତା ପୂର୍ବରୁ ଏଠାରେ ଭକ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର ହେବାର ଅନୁମାନ କରାଯାଉଛି। କେଦାରନାଥ, ବଦ୍ରିନାଥ ସମେତ ପୁରୀ ୪ ଧାମ ଯାତ୍ରା ଏବେ ଭୀଷଣ ଥଣ୍ଡାରେ ଚାଲିଛି। କେଦାରନାଥ ଗୁମ୍ଫାରେ ସାଧନା କରିବା ଲାଗି ବୁକିଂ ଇତିମଧ୍ୟରେ ଶେଷ ହୋଇଗଲାଣି। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଗୁମ୍ଫା ବୁକ୍ ଥିବା କର୍ତ୍ତୃପକ୍ଷ କହିଛନ୍ତି।
ଦେବସ୍ଥାନମ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନୁସାରେ ଚଳିତବର୍ଷ ଚାରଧାମ ଯାତ୍ରା ଆରମ୍ଭର ୪୨ ଦିନ ସୁଧା ୩ଲକ୍ଷ ୯୫ ହଜାର ୯୦୫ ଜଣ ତୀର୍ଥ ଯାତ୍ରୀ ଦର୍ଶନ ଲାଗି ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରୁ କେଦାରନାଥକୁ କେବଳ ୨ ଲକ୍ଷ ଯାତ୍ରୀ ପହଞ୍ଚିଛନ୍ତି। ସେହିପରି ବଦ୍ରିନାଥ ଧାମକୁ ଏପର୍ଯ୍ୟନ୍ତ ୧ଲକ୍ଷ ୧୩ ହଜାର ୯୦୯ ଜଣ ଯାତ୍ରୀ ପହଞ୍ଚିଛନ୍ତି। ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ୩୧ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଯାତ୍ରା ଶେଷବେଳ ଯେତିକି ନିକଟତର ହେଉଛି ଦୈନିକ ଯାତ୍ରୀ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢିବଢି ଚାଲିଛି ବୋଲି ଦେବସ୍ଥାନମ କର୍ତ୍ତୃପକ୍ଷ କହିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ହେଲି କମ୍ପାନୀମାନେ ଯୋଗାଇ ଦେଉଥିବା ଯାତ୍ରୀ ସେବାରେ ସେମାନେ ନିୟମକୁ ଉଲ୍ଲଂଘନ କରିବାର ମଧ୍ୟ ଏବେ ଅଭିଯୋଗ ହେଲାଣି। କେଦାରନାଥ ବନ୍ୟପ୍ରାଣୀ କ୍ଷେତ୍ରରେ ହେଲିକପ୍ଟର ୬୦୦ ମିଟରରେ ଉଡୁଥିବାର ବିଭାଗ ଅଭିଯୋଗ କରିଛନ୍ତି।
