ଜାମିନ ପ୍ରକ୍ରିୟା ଶେଷ : ଜେଲ୍ରୁ ମୁକୁଳିଲେ ଆର୍ଯ୍ୟନ୍, ଭବ୍ୟ ସ୍ୱାଗତ ଅପେକ୍ଷାରେ ‘ମନ୍ନତ୍’
ମୁମ୍ବାଇ : ଶେଷରେ ଜେଲ୍ରୁ ମୁକୁଳିଲେ ଆର୍ଯ୍ୟନ୍ । ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ପୂର୍ବାହ୍ନରେ ଆର୍ଯ୍ୟନ୍ ଆର୍ଥର୍ ରୋଡ୍ ଜେଲ୍ରୁ ମୁକୁଳିଛନ୍ତି। ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍ରେ ରହିବା ପରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ଙ୍କୁ ମୁକ୍ତ କରାଯାଇଛି। ଏହା ପୂର୍ବରୁ ଶାହାରୁଖ୍ ଖାନ୍ଙ୍କ ଅଙ୍ଗରକ୍ଷୀ ରବି ମଧ୍ୟ ଆର୍ଥର୍ ରୋଡ୍ ଜେଲ୍ରେ ପହଞ୍ଚିଥିଲେ। ଆର୍ଯ୍ୟନ୍ଙ୍କୁ ମୁକ୍ତ କରାଯିବା ପୂର୍ବରୁ ଆଜି ମୁମ୍ବାଇ ପୁଲିସ ଆର୍ଥର୍ ରୋଡ୍ ଜେଲ୍ ବାହାରେ ବ୍ୟାରିକେଡ୍ ବସାଇଥିଲା। ଆର୍ଥର୍ ରୋଡ୍ ଜେଲ୍କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ହୋଇଥିବା କୁହାଯାଉଛି। ସେପଟେ, ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ଲାଗି ଶାହରୁଖ ଖାନ୍ଙ୍କ ବାସଭବନ ‘ମନ୍ନତ୍’କୁ ସୁନ୍ଦର ଭାବେ ଆଲୋକମାଳାରେ ସଜାଯାଇଛି।
ସୂଚନା ଯେ, ଗୁରୁବାର ବମ୍ବେ ହାଇକୋର୍ଟ ଆରୟନଙ୍କ ସମେତ ୩ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ। ପରେ ଆର୍ଯ୍ୟନ୍ଙ୍କୁ ଶୁକ୍ରବାର ବାହାର କରାଯିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବେଲ ଆଦେଶ ଅଧିକାରୀଙ୍କ ନିକଟକୁ ପହଂଚି ନଥିଲା। ଏଥି ପାଇଁ ତାଙ୍କୁ ଶୁକ୍ରବାର ରାତି ମଧ୍ୟ ଜେଲରେ ବିତାଇବାକୁ ପଡ଼ିଥିଲା। ସେ ଦୀର୍ଘ ୨୭ ଦିନ ହେଲା ଜେଲରେ ଥିଲେ। ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ୍ ଏବଂ ମଡେଲ ମୁନମୁନ ଧାମେଚାଙ୍କର ମଧ୍ୟ ଜାମିନ ଆଦେଶ ଜାରି କରିଛନ୍ତି। ସମସ୍ତ ୩ ଜଣଙ୍କୁ ଗୁରୁବାର ଜାମିନ ମିଳିଥିଲା । ବମ୍ବେ ହାଇକୋର୍ଟ ୫ପୃଷ୍ଠାର ବେଲ୍ ଅର୍ଡରେ କଡା ସର୍ତ୍ତ ରଖିଛନ୍ତି । ଆର୍ଯ୍ୟନ୍ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ।ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ଏନଡିପଏସ୍ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି । ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନସିବି ଅଧିକାରୀଙ୍କ ପାଖରେ ହାଜର ହେବେ। ସର୍ତ୍ତ ଉଲ୍ଲଂଘନ କଲେ ଜାମିନ ବାତିଲ କରା ଯିବ ବୋଲି କୋର୍ଟ କହିଛନ୍ତି ।
