ଜମ୍ମୁ-କାଶ୍ମୀରରେ ମିନି ବସ ଦୁର୍ଘଟଣା : ୮ ମୃତ ଓ ଅନେକ ଆହତ
- ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଜମ୍ମୁ : ଜାମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଘାଇକୁ ଏକ ମିନି ବସ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି। କିଶ୍ଟୱରରୁ ଜାମ୍ମୁକୁ ଆସୁଥିବା ମିନି ବସ ଘାଇରେ ଖସି ପଡ଼ିବା ପରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଖବର ପାଇ ପୁଲିସ,ଉଦ୍ଧାରକାରୀ ଦଳ ଓ ଅଞ୍ଚଳବାସୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍ ହୋଇଥିବା ଟୁଇଟ୍ରେ ଉଲ୍ଲେଖ ଅଛି, ଜମ୍ମୁ ଓ କଶ୍ମୀରର ଡୋଡ଼ା ଅନ୍ତର୍ଗତ ଠଥରୀ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ଯୋଗୁଁ ଦୁଃଖିତ। ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଏଥିସହ, ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ଲାଗି ‘ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ଫଣ୍ଡ୍’ରୁ (ପିଏମ୍ଏନ୍ଆର୍ଏଫ୍) ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ସେହିଭଳି, ଚିକିତ୍ସା ନିମନ୍ତେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ସବବେଦନା ଜ୍ଞାପନ କରିବା ସହ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଟୁଇଟ୍ କରି ସେ ଲେଖିଛନ୍ତି, ଏଇମାତ୍ର ମୁଁ ଡୋଡ଼ାର ଜିଲ୍ଲାପାଳ ବିକାଶ ଶର୍ମାଙ୍କ ସହ କଥାବାର୍ତ୍ତା କରିଛି। ଆହତମାନଙ୍କୁ ଦୋଦାର ‘ଜିଏମ୍ସି’କୁ ସ୍ଥାନାନ୍ତର କରାଯାଇଛି। ଆଉ ଯାହା କିଛି ସହାୟତା ଆବଶ୍ୟକ ହେବ, ତାହା ଯୋଗାଇ ଦିଆଯିବ। ସେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
