ନବୀନ ନିବାସ ଘେରାଉ କଲା ଛାତ୍ର କଂଗ୍ରେସ : ପୋଲିସ୍ ଉପରେ ଅଣ୍ଡା, ଟମାଟ ମାଡ ଅଭିଯୋଗ
- ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜଧାନୀରେ ଗର୍ଜିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର : କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜଧାନୀରେ ଗର୍ଜିଛି ଛାତ୍ର କଂଗ୍ରେସ । ଘଟଣାରେ ସଂପୃକ୍ତ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ପୋଲିସ୍ ସେମାନଙ୍କୁ ଶିଶୁ ଭବନ ଛକ ଠାରେ ଅଟକାଇବାକୁ ଉଦ୍ୟମ କରିବାରୁ ଛାତ୍ର ନେତା ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀ ବ୍ୟାରିକେଟ୍ ଡେଇଁ ନବୀନ ନିବାସ ଆଡକୁ ଯିବା ପାଇଁ ଉଦ୍ୟମ କରିଥିଲେ । ଏହା ମଧ୍ୟରେ ଆନ୍ଦୋଳନକାରୀ ପୋଲିସ୍ ଉପରକୁ ଟମାଟ ଓ ଅଣ୍ଡା ମାଡ କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ଘଟଣାସ୍ଥଳରୁ ଶତାଧିକ ଛାତ୍ରନେତାକୁ ଉଠାଇ ଅଟକ ରଖିଛି ।
ଅପରପକ୍ଷରେ ଟମାଟ ଓ ଅଣ୍ଡା ମାଡ କରିଥିବା ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଭୁବନେଶ୍ୱରରୁ ବିଭିନ୍ନ କୋଣରୁ ମୋଟର ସାଇକେଲ ର୍ୟାଲିରେ ଆସି ଛାତ୍ରନେତାମାନେ ଫରେଷ୍ଟ ପାର୍କଠାରେ କେନ୍ଦ୍ରୀଭୂତ ହୋଇଥିଲେ । ତାପରେ ଏକ ବିଶାଳ ର୍ୟାଲି ନବୀନ ନିବାସ ଆଡ଼କୁ ମାଡ଼ି ଯାଇଥିଲେ । ବାଟରେ ର୍ୟାଲି ଦୁଇଭାଗ ହୋଇଥିଲା । ୫ଶହରୁ ଉର୍ଦ୍ଧ୍ୱ ଛାତ୍ର କଂଗ୍ରେସ ନେତା ଓ କର୍ମୀ ମୁଖ୍ୟ ର୍ୟାଲିରୁ ବାହାରି ଏୟାରପୋର୍ଟ ଛକ ଆଗରେ ପାହଂଚି ନବୀନ ନିବାସ ଆଡ଼କୁ ଧସେଇ ପସିଥିଲେ । ନବୀନ ନିବାସକୁ ସୁରକ୍ଷା ଦେବା ପାଇଁ ସେଠାରେ ହଜାର ହଜାର ପୋଲିସ ବାରିକେଡ କରି ବିକ୍ଷୋଭକାରୀଙ୍କୁ ଅଟକାଇଥିଲା । ପୋଲିସ ସହ ସଂଘର୍ଷରେ କିଛି ଛାତ୍ର ନେତା କ୍ଷତବ୍ୟକ୍ଷତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୟାସିର ନୱାଜଙ୍କ ସହ ବହୁ ଛାତ୍ର କଂଗ୍ରେସ କର୍ମର୍କତା ଓ କର୍ମୀଙ୍କୁ ଗିରଫ କରି ପୋଲିସ ବ୍ୟାରେକ ଓ ବିଭିନ୍ନ ଥାନାରେ ଅଟକ ରଖିଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ପୋଲିସ ବଳୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଦିନ ଆତ୍ମଗୋପନ କରିବେ? ଶିକ୍ଷୟିତ୍ରୀ ଭଉଣୀ ମମିତା ମେହେରର ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳକ୍ରମେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚକ୍ରାନ୍ତ କରିଛନ୍ତି । ମମିତା ହତ୍ୟାକାଣ୍ଡର ଘଟଣାକ୍ରମକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇପଡ଼ୁଛି ଯେ ଦିବ୍ୟଶଙ୍କରଙ୍କ ସଂପୃକ୍ତିକୁ ସଂପୂର୍ଣ୍ଣ ଲୁଚେଇ ଦେବା ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି । ନବୀନ ନିବାସକୁ ଦିବ୍ୟଶଙ୍କର ସହ ଗୋବିନ୍ଦ ସାହୁ ଆସୁଥିଲା ଏବଂ ମହାଲିଙ୍ଗ ପ୍ରାଇଭେଟ ସ୍କୁଲ ଓ କଲେଜକୁ ସରକାରୀ ଅନୁଦାନ ମଧ୍ୟ ନେବାରେ ସମର୍ଥ ହୋଇଥିଲା । ଦିବ୍ୟଶଙ୍କର ଓ ଗୋବିନ୍ଦ ସାହୁର ଯୋଡ଼ି କେତେ ମହିଳାଙ୍କ ଜୀବନ ନଷ୍ଟ କରିଛନ୍ତି ତାହାର ପ୍ରମାଣର ପେଡ଼ି ଧିରେ ଧିରେ ଖୋଲୁଛି ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ଚାପିଦେବା ପାଇଁ ହୀନ ଉଦ୍ୟମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିରବତା ଓଡ଼ିଶାବାସୀଙ୍କୁ ଚକିତ କରିଛି । ନବୀନ ସରକାରଙ୍କ ୨୨ ବର୍ଷର କୁଶାସନରେ ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ, ସ୍ମିତା ରାଣୀ, ମାଧବୀ ଲତା, ପରୀ ପ୍ରଭୃତି ଅନେକ ନିରୀହ ମହିଳା ବିଜେଡ଼ି ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କଦ୍ୱାରା ହତ୍ୟାର ଶୀକାର ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସେଇ ନିରୀହ ମହିଳାମାନଙ୍କୁ ନ୍ୟାୟ ଦେବେ କ’ଣ, ପାପକୁ ଘୋଡାଇ ପକାଉଛନ୍ତି । ଶିକ୍ଷୟିତ୍ରୀ ମମିତାର ପରିବାର ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ରାଜରାସ୍ତାରେ ଲଢ଼େଇରୁ ହଟିବ ନାହିଁ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ମମିତାର ପରିବାରକୁ ଏକ କୋଟି ଟଙ୍କା ଅନ୍ୁକମ୍ପା ରାଶି ପ୍ରଦାନ ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି । କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟାନୟକ, ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବଶ୍ୱାଳ, ମନୋଜ ମହାପାତ୍ର, ଅଜୟ ସାହୁ, ନିହାର ବେହେରା, କିରଣ ସାହୁ, ଆଲୋକ ଲେଙ୍କା, ଶୁଭଙ୍କର ପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
