ସବୁଜ କୃଷି ପ୍ରକଳ୍ପର ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳା ଉଦଘାଟନୀ ସମାରୋହ
- ଜଳବାୟୁ ପରିବର୍ତନ ଉପରେ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ : ମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ଜଳବାୟୁ ପରିବର୍ତନ ଉପରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି । ଆଜି ରାଜ୍ୟ କୃଷି ଭବନରେ ସବୁଜ କୃଷି ପ୍ରକଳ୍ପର ୩ ଦିନିଆ ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳା ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କର୍ମଶାଳାକୁ ଉଦ୍ଘାଟନ କରିବା ସହ ଏହା କହିଛନ୍ତି ।
ସବୁଜ କୃଷି ପ୍ରକଳ୍ପ (ଗ୍ରୀନ୍ ଏଜି)ର ରାଜ୍ୟସ୍ତରୀୟ କର୍ମଶାଳା ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଡ. ସାହୁ ଦେଶର ୫ଟି ମନୋନୀତ ରାଜ୍ୟ ମଧ୍ୟରେ ଅନ୍ୟତମ ରାଜ୍ୟ ଭାବେ ଓଡ଼ିଶା ଚୟନ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ନିଜର ବକ୍ତବ୍ୟରେ ଓଡ଼ିଶାରେ ପ୍ରଚୁର ଜୈବବିବିଧତା ସହିତ ଭରପୂର ପ୍ରାକୃତିକ ସଂପଦ ରହିଥିବା ଏବଂ ପ୍ରାକୃତିକ ସଂପଦର ନିରନ୍ତର ବ୍ୟବହାର ତଥା ପରିବେଶର ଉତମ ଲାଭ ପାଇଁ ସଂରକ୍ଷଣ ପଦ୍ଧତି ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ତାଙ୍କର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଏହି ପ୍ରକଳ୍ପ କୃଷି କ୍ଷେତ୍ରରେ ସ୍ଥାୟୀତ୍ୱ ଏବଂ ଉତ୍ପାଦନ ବୃଦ୍ଧି ସହିତ ପରିବେଶର ହିତ ସାଧନର ଲକ୍ଷ୍ୟ ହାସଲ କରିବ ଯେଉଁଥିରେ ବିଲୁପ୍ତପ୍ରାୟ ପ୍ରଜାତି ତଥା ଗୁରୁତର ଅସୁରକ୍ଷିତ ଉଦ୍ଭିଦ ଏବଂ ଜୀବଜନ୍ତୁ ସଂରକ୍ଷଣ ବିଷୟରେ ସଚେତନତା ସହିତ ଶିମିଳିପାଳ ଅଂଚଳର ଲୋକଙ୍କ ସାମଗ୍ରିକ ଉନ୍ନତିରେ ସହାୟକ ହେବ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଂଚଳର ଚିହ୍ନିତ ଗ୍ରାମଗୁଡ଼ିକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱ ଓ ଉଚିତ ଦିଗ୍ଦର୍ଶନ ଯୋଗୁଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ଆଦର୍ଶ ରାଜ୍ୟ ଭାବେ ଉଭା ହୋଇଛି । ତେଣୁ ସବୁଜ କୃଷି ପ୍ରକଳ୍ପର ସର୍ବାଧିକ ଲାଭ ଉଠାଇବାରେ ଓଡ଼ିଶା ଅଗ୍ରଣୀ ରହିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ଥାନୀୟ ଅଧିବାସୀ ଓ ପରିବେଶ ସୁରକ୍ଷା ଆବଶ୍ୟକତା ମଧ୍ୟରେ ଥିବା ଦ୍ୱନ୍ଦକୁ ସଚେତନତା ମାଧ୍ୟମରେ ଦୂର କରିବାକୁ ପଡ଼ିବ ବୋଲି କହିଥିଲେ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(ଏଫ୍ଏଓ) ପ୍ରତିନିଧି ଟୋମିଓ ଶିଚିରି ଏବଂ କୋଣ୍ଡା ଚାଭାରେଚ୍ଛୀ, ଭାରତ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପ୍ରକଳ୍ପର ବିଭିନ୍ନ ଦିଗ ତଥା ଉପାଦାନ ଏବଂ କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବା ସହିତ ଓଡ଼ିଶା ସରକାରଙ୍କ ତରଫରୁ ମିଳିଥିବା ସହଯୋଗ ପାଇଁ ଖୁସି ବ୍ୟକ୍ତ କରିଥିଲେ । ଉଦ୍ଘାଟନୀ ଉତ୍ସବ ସଭାରେ ମୃତିକା ସଂରକ୍ଷଣ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଇମେଜ୍ର ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଯଥା ରାଜ୍ୟ ପରିଚାଳନା କମିଟିର ସଦସ୍ୟ, ମୃତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ଏବଂ ବିଭିନ୍ନ ବିଭାଗର ନୋଡାଲ୍ ଅଧିକାରୀ, ରାଜ୍ୟ ଯୋଜନା ପରିଚାଳନା ୟୁନିଟ୍ ସଦସ୍ୟ ଆଦି ଅଧିକାରୀଗଣ ସମାରୋହରେ ଯୋଗଦେଇଥିଲେ । ପ୍ରକାଶ ଥାଉ କି, ସମ୍ପୃକ୍ତ ବିଭାଗର ନୋଡାଲ ଅଧିକାରୀମାନଙ୍କ ସହିତ ପ୍ରକଳ୍ପର ସଂପୂର୍ଣ୍ଣ କାର୍ଯ୍ୟକାରିତା ଉପରେ ଆଜିଠାରୁ ୩ ଦିନ ବ୍ୟାପୀ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହେବ ।
