ଘର ସାମ୍ନାରେ ଖେଳୁଥିଲା ୧୫ ମାସର ଶିଶୁ : ଚୋରି କରି ଚମ୍ପଟ ମାରିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଲେ ମହିଳା
ବାଲେଶ୍ୱର : ରାଜ୍ୟରେ ଦିନକୁ ଦିନ ପିଲା ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକମାନେ ନିଜ ପିଲାମାନଙ୍କୁ ବାହାରକୁ ଛାଡିବାକୁ ଭୟ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟୀ ଗ୍ରାମରେ ଘଟିଛି । ପିଲା ଚୋରକୁ ବାନ୍ଧି ନିସ୍ତୁକ ମାଡ ମାରି ପୋଲିସର ଜିମାଦେଇଛନ୍ତି ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କ ଉଦ୍ଧାର କରିବା ସହିତ ଥାନାକୁ ଆଣିଥିଲେ । ତେବେ ତାଙ୍କର ପରିଚୟ ମିଳିପାରିନଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଯେ, ବାଲିକୁଟୀ ଗ୍ରାମର ଜିତାଂଶୁ ଶେଖର ପାତ୍ରଙ୍କ ୧୫ ମାସର ଶିଶୁ ପୁତ୍ର ଜିଜ୍ଞାନ ମଙ୍ଗଳବାର ସକାଳେ ଘର ସାମ୍ନାରେ ଖେଳୁଥିବା ସମୟରେ ଜଣେ ଅଜଣା ମହିଳା ପିଲାଟିକୁ ଜୋର ଜବରଦସ୍ତ ଉଠାଇ ନେଇ ଚୋରି କରି ପଳାଇ ଯାଇଥିଲେ । ପରିବାର ଲୋକେ ବହୁ ସମୟ ଧରି ପିଲାକୁ ନପାଇ ଖୋଜାଖୋଜି କରିବା ପରେ ପିଲାଟିର କୌଣସି ସନ୍ଧାନ ପାଇ ନଥିଲେ । କିଛି ସମୟ ପରେ ଘର ଠାରୁ ୧ କିଲୋମିଟର ଦୂରରେ ମହିଳା ଜଣକ ପିଲାଟିକୁ ନେଇ ଦୌଡ଼ି ପଳାଇ ଯାଉଥିବାର ଦେଖି ସନ୍ଦେହ କରି ଗ୍ରାମବାସୀ ମାନେ ତାକୁ ଅଟକାଇ ଥିଲେ । ଗ୍ରାମବାସୀ ମାନେ ମହିଳାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିନଥିଲେ । ଗ୍ରାମବାସୀ ମାନେ ମହିଳାଙ୍କ ଠାରୁ ପିଲାଟିକୁ ଉଦ୍ଧାର କରି ଉକ୍ତ ପିଲାର ଘରକୁ ଖବର ଦେବା ପରେ ତାର ମା’ ପହଞ୍ôଚ ପିଲାଟିକୁ ଚିହ୍ନି ଘରକୁ ନେଇଥିଲେ । ଏହା ପରେ ଦୌଡ଼ିରେ ହାତଗୋଡ଼ ବାନ୍ଧି ଉତ୍ତମ ମଧ୍ୟମ ଦେବାପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଗ୍ରାମବାସୀଙ୍କ କବଳରୁ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ ।
