ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ
କନ୍ଧମାଳ : କନ୍ଧମାଳ ଜିଲାରେ ପୁଣି ଏକ ନଗଣ୍ୟ ଚିତ୍ର । ଏବେବି ଜିଲାର ଅନେକ ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଫଳରେ ବିଭିନ୍ନ ସମୟରେ ରୋଗୀ ଓ ପ୍ରସୂତି ମହିଳା ଦୁର୍ଦ୍ଦଶା ଭୋଗୁଥିବାର ନଜର ଆସିଥାଏ l କିଛି ଦିନ ତଳେ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସିଯିବା କାରଣରୁ ଜଣେ ରୋଗୀଙ୍କ ଜୀବନ ଯାଇଥିଲା । ଏହି ଘଟଣା ମନରୁ ନଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ଏହି ପରିପ୍ରେକ୍ଷୀରେ ରାସ୍ତା ନଥିବାରୁ ପାଞ୍ଚ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି କର୍ମଚାରୀ ରୋଗୀଙ୍କୁ ଷ୍ଟେଚରରେ ବୋହିଥିବା ଦେଖିବାକୁ ମିଳିଛି ।
ସୂଚନା ଯେ, ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମିଡ଼ିଆତୁଆ ଗାଁରେ ଲକ୍ଷ୍ମଣ କହଁର ନାମକ ପକ୍ଷାଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଗାଁର ଜଣେ ବ୍ୟକ୍ତି ନେଟୱର୍କ ନ ଥିବାରୁ ଦଶ କିଲୋମିଟର ଯାଇ ଆମ୍ବୁଲାନ୍ସକୁ ଫୋନ ଯୋଗେ ଖବର ଦେଇଥିଲେ । ତେବେ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା । ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଅନିଲ କୁମାର ନାୟକ, ଫାର୍ମାସିଷ୍ଟ ବିନାୟକ ପଣ୍ଡା ଏବଂ ସହାୟକ ପପୁନି ନାୟକ ଗାଡିରେ ଥିବା ଷ୍ଟେଚର ଧରି ପାଞ୍ଚକିଲୋମିଟର ରାସ୍ତା ଚାଲି ଚାଲି ଯାଇ ବୋହି ଆଣିଥିଲେ । ଏହାପରେ ସେମାନେ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଏଘଟଣାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରଶଂସା କରାଯିବା ସହ ଜିଲ୍ଲାର ବିକାଶ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।
