ନିଶା ସାମ୍ରାଜ୍ୟର ବାଦଶାହ ରଜନୀକାନ୍ତ ଆସନ୍ତା ୨୫ ଯାଏ ପୋଲିସ ରିମାଣ୍ଡରେ
- ରଜନୀକାନ୍ତଙ୍କ ପୁଅକୁ ଥାନାକୁ ଉଠାଇ ନେଲା ପୋଲିସ
- ୪୦ ବର୍ଷ ନିଶା ବେପାରରୁ ୧୨ କୋଟିର ସମ୍ପତ୍ତି
- ୭୫ ଲକ୍ଷ, ୮ କିଲୋ ସୁନା ଜବତ, ମିଳିଲା ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ
ଗଞ୍ଜାମ : ନିଶା ସାମ୍ରାଜ୍ୟର ବାଦଶାହ ଖଲ୍ଲିକୋଟ ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକକୁ ଆସନ୍ତା ୨୫ ତାରିଖ ଯାଏ ରିମାଣ୍ଡରେ ନେଇଛି ଗଞ୍ଜାମ ଜିଲ୍ଲା ପୋଲିସ । ଏହି ରିମାଣ୍ଡ ଅବଧି ମଧ୍ୟରେ ରଜନୀକାନ୍ତକୁ ପୋଲିସ ଏନେଇ ଅଧିକ ପଚରା ଉଚୁରା କରିବା ସହ ନିଶା ସାମ୍ରାଜ୍ୟର ଚେର କେତେ ଦୂର ଲମ୍ବିଛି ଏବଂ ଏହି ର୍ୟାକେଟ୍ ରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ତାଙ୍କ ନିକଟରୁ ତଥ୍ୟ ଉଗାଳିବାକୁ ଚେଷ୍ଟା କରିବ । ଏପରିକି ଆବଶ୍ୟକ ପଡିଲେ ରଜନୀକାନ୍ତକୁ ଆଉ ଥରେ ରିମାଣ୍ଡରେ ନେଇପାରେ ପୋଲିସ । ଗତକାଲି ଚଢ଼ଉ ବେଳେ ରଜନୀକାନ୍ତଙ୍କ ଘରୁ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ୍ ସୁନା, ୩୪ କେଜି ୯୪ ଗ୍ରାମ୍ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ୍ ଅଫିମ ଜବତ ହୋଇଥିଲା । ଦୀର୍ଘ ବର୍ଷ ଧରି ନିଶା କାରବାର ଚଳାଇ ରଜନୀକାନ୍ତ ଏହି ଟଙ୍କା ଓ ସୁନା ଠୁଳ କରିଥିବା ସନ୍ଦେହ କରାଯାଉଛି । ଘଟଣାରେ ରଜନୀକାନ୍ତଙ୍କ ପୁଅକୁ ମଧ୍ୟ ଥାନାକୁ ଉଠାଇ ନେଇ ପଚରା ଉଚୁରା ଚଳାଇଛି ପୋଲିସ । ଏଥି ସହିତ ରଜନୀକାନ୍ତ ନାମରେ ଥିବା ୬ଟି ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯିବ କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ସିଂ ।
ସୂଚନା ଯେ, ଗଞ୍ଜେଇ ଚୋରା ଚାଲାଣ ବେଳେ ରଜନୀକାନ୍ତକୁ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଗିରଫ କରିଥିଲେ। ଗିରଫ ପରେ ପୁଲିସ ତଦନ୍ତ ଯେତେ ଗଭୀରକୁ ଗଲା, ଅଭିଯୁକ୍ତର ନିଶା କାରବାର ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିଥିଲା। ପରେ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ଜିଲ୍ଲାର କିଛି ପୁଲିସ ଅଧିକାରୀ ଓ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ପୁଲିସ ରଜନୀକାନ୍ତର ଖୋଜାପଲ୍ଲୀ ବଡ଼ଦାଣ୍ଡ ସାହିସ୍ଥିତ ବାସଭବନ ଉପରେ ଚଢ଼ଉ କରି ଏହି ଅଚଳାଚଳ ସମ୍ପତ୍ତି ଠାବ କରିଥିଲା। ନିଶା ବେପାରରୁ କିପରି ଅଭିଯୁକ୍ତ କୋଟିପତି ବନିଯାଇଥିଲା ତାହା ପୁଲିସ ଜାଣି ଅବାକ୍ ହୋଇଯାଇଥିବା କହିଛି। ତେବେ ୪୦ ବର୍ଷ ଧରି ଏଭଳି କାରବାର ଚଳାଇଥିଲେ ମଧ୍ୟ କବିସୂର୍ଯ୍ୟନଗର-ଖଲ୍ଲିକୋଟ ମୁଖ୍ୟ ରାସ୍ତାରେ ରହିଥିବା ଏହି ଗ୍ରାମରେ ଅଭିଯୁକ୍ତ ଗଞ୍ଜେଇ ଓ ଅଫିମ ଭଳି ଏତେ ବିଶାଳ ନିଶା କାରବାର ଚଳାଇଥିଲେ ମଧ୍ୟ ପୁଲିସ ଆଗରୁ କିଭଳି ଟେର୍ ପାଇ ନଥିଲା, ତାହା ସମସଙ୍କୁ ବିସ୍ମିତ କରିଛି।
