ନୂଆକୁ ପାଇ ପୁରୁଣାକୁ ଭୁଲିଗଲେ : ନନ୍ଦନକାନନରେ ଖତ ଖାଉଛି ପୁରୁଣ ଟ୍ରେନ୍
ଭୁବନେଶ୍ୱର : ନନ୍ଦନକାନନ ଭିତରେ କେତେ ଦୁଃଖ ସୁଖର ସାଥୀ ସାଜିଥିଲା ସିଏ । ପର୍ଯ୍ୟଟକଙ୍କ ଆଦର ଆଉ ଭଲ ପାଇବା ଆଗରେ ସେ ଯନ୍ତ୍ରଚାଳିତ ହୋଇ ମଧ୍ୟ ଯନ୍ତ୍ରବତ୍ ଖଟି ଚାଲିଥିଲା । ହେଲେ ଆଜି ତାକୁ କରାଯାଇଛି ହତାଦର । ତା ବଦଳରେ ନୂଆ ଓ ଅତ୍ୟାଧୁନିକ ଜାତିଭାଇଟିଏ ଆସି କର୍ତ୍ତୃପକ୍ଷଙ୍କୁ ଏମିତି ବିମୋହିତ କରିଛି ଯେ ତାକୁ ଏବେ କେହି ପଚାରୁନାହାନ୍ତି । ଏହା ପ୍ରାଣୀ ଉଦ୍ୟାନର କୌଣସି ପ୍ରାଣୀର କଥା ନୁହେଁ । ବରଂ ଖତ ଖାଉଥିବା ପୁରୁଣା ଟୟ ଟ୍ରେନର କଥା ।
୧୯୭୧ ମସିହାରେ ପ୍ରଥମେ ଚାଲିଥିବା ଟୟ ଟ୍ରେନଟି ଏବେ କବାଡ଼ିଖାନାର ଭଙ୍ଗା ଦଦରା ଲୁହାଖଣ୍ଡ ହୋଇ ପରିସର ଭିତରେ ପଡିରହିଛି । ଏବେ ନୂତନ ଜ୍ଞାନ କୌଶଳରେ ନୂଆ ଟୟ ଟ୍ରେନ ଚାଲିବା ଆରମ୍ଭ ହୋଇଛି । କିନ୍ତୁ ଏହି ଟ୍ରେନରେ ସେହି ପୁରୁଣା ଟ୍ରେନର ମଜା ଓ ଅନୁଭୂତି ମିଳି ପାରୁନାହିଁ । ହେଲେ ଯେଉଁ ଟୟଟ୍ରେନ ପାଇଁ ଆଜି ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳି ଆଜି ସେ ଅବହେଳିତ ହୋଇ ସେହି ରେଳ ଲାଇନ କଡ଼ରେ ପଡିରହିଛି । ଦିନେ ଏହି ଟ୍ରେନରେ ବସିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଲାଗି ରହୁଥିଲା । ନିରବଚ୍ଛିନ୍ନ ଭାବରେ ଦୀର୍ଘ ୪୧ ବର୍ଷ ଏହି ପ୍ରାଣୀ ଉଦ୍ୟନ ମଧ୍ୟରେ ପର୍ଯ୍ୟଟକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିଲା । ଆଜି ଏହି ଟ୍ରେନଟି ଅବହେଳିତ ହୋଇ ପଡିରହିଛି । ରାଜ୍ୟରେ ବିଭିନ୍ନ ସ୍ଥନରେ ଥିବା ପୁରୁଣା ସଂସ୍କୃତିକୁ ପୁନରୁଦ୍ଧାର କରାଯାଇ ବିଭିନ୍ନ ମ୍ୟୁଜିୟମରେ ସ୍ଥାନ ଦିଆଯାଉଛି । ହେଲେ ନନ୍ଦନକାନନର ଏହି ଟୟ ଟ୍ରେନଟି ଲାଇନ କଡ଼ର ଜଙ୍ଗଲରେ ଅବହେଳିତ ଭାବରେ ପଡି ଖତ ଖାଉଛି । ଏହାର ପୁନରୁଦ୍ଧାର ପାଇଁ କର୍ତ୍ତୃପକ୍ଷ କାହିଁକି ଚିନ୍ତା କରୁନାହାନ୍ତି ତାହା ଏକ ପରିତାପର ବିଷୟ ।
ସୂଚନାଯୋଗ୍ୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୯୭୧ ମସିହା ଅଗଷ୍ଟ ମାସରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଟୟ ଟ୍ରେନକୁ ଲୋକାର୍ପିତ କରିଥିଲେ । ତେଣୁ ପ୍ରାଣୀ ଉଦ୍ୟାନରେ ଡିଜେଲ ଇଞ୍ଜିନରେ କୌତୁକିଆ ଛୋଟ ଟୟଟ୍ରେନ ନିର୍ମାଣ କରାଯାଇ ଚଲାଯାଇଥିଲା । ଏହାକୁ ଦୀର୍ଘ ୩୫ ବର୍ଷ ଅର୍ଥାତ ୨୦୦୬ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷ ଚଳାଇଥିଲେ । ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ବି ନେଇଥିଲେ । ୨୦୦୬ ପରଠାରୁ ଟ୍ରେନରେ ଯାନ୍ତ୍ରିକ ତୃଟି ଦେଖା ଦେବାରୁ ଏହାକୁ ୨୦୦୮ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ପରେ ଏହାକୁ ମରାମତି କରାଯାଇ ଜଣେ ଠିକାଦାରଙ୍କୁ ଏହାର ପରିଚାଳନା ପାଇଁ ଲିଜ ସୂତ୍ରରେ ଦିଆଯାଇଥିଲା । ଟ୍ରେନରେ ଲାଗିଥିବା ଯନ୍ତ୍ରପାତି ନ ମିଳିବାରୁ ଦିନକୁ ଦିନ ଟ୍ରେନଟି ଅକାମି ହେବାରେ ଲାଗିଲା । ଏହାପରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ୨୦୧୪ ମସିହାରେ ବନ୍ଦ କରାଯାଇଥିଲା । ଏବେ ପ୍ରାୟ ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜ୍ଞାନ କୌଶଳରେ ବୁଲେଟ ଟ୍ରେନ ଶୈଳୀରେ ଟୟଟ୍ରେନ ନିର୍ମାଣ କରାଯାଇଛି । ଲୋକାର୍ପିତ ହେବାର ୬ ଦିନ ପରେ ଠିକ୍ରେ ଦୁଇ ଦିନ ଚାଲି ନପାରି ଏବେ ଖରାପ ହୋଇ ପଡିଛି । କେବେ ଚାଲିବ ତାହା ମଧ୍ୟ କର୍ତ୍ତୃପ-କ୍ଷଙ୍କ ଠାରୁ ସୂଚନା ମିଳିପାରି ନାହିଁ ।
