ଟି-୨୦ ବିଶ୍ୱକପ : ଉଦଘାଟନୀ ମ୍ୟାଚରେ ୫ ଓ୍ବିକେଟରେ ଜିତିଲା ଅଷ୍ଟ୍ରେଲିଆ
ଆବୁଧାବି : ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମ ଠାରେ ଶନିବାର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଏହି ଉଦଘାଟନୀ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଲୋ ସ୍କୋରିଂ ମ୍ୟାଚରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା । ଜବାବରେ ଅଷ୍ଟ୍ରେଲିଆ ୧୯.୪ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଇଡେନ ମାରକାମଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାରକାମ ସର୍ବାଧିକ ୪୦ ରନ କରିଥିଲେ । କିନ୍ତୁ ସେ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ହିଁ କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜସ ହାଜେଲଉଡ୍ ଓ ଆଡାମ ଜାମ୍ପା ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୧୯ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଡେଭିଡ୍ ଓ୍ବାର୍ଣ୍ଣର ମାତ୍ର ୧୪ ରନ କରି ଆଉଟ ହୋଇଥିବା ବେଳେ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି । ସେହିଭଳି ମିଚେଲ ମାର୍ସ ୧୧ ରନ, ଷ୍ଟିଭ୍ ସ୍ମିଥ୍ ରକ୍ଷଣାତ୍ମକ ଇନିଂସ ଖେଳି ୩୫ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍ ମାକ୍ସଓ୍ବେଲ ୧୮ ରନକରି ଆଉଟ ହୋଇଛନ୍ତି । ମାର୍କସ ଷ୍ଟୋଇନିସ୍ ଅପରାଜିତ ୨୪ ରନର ଚମତ୍କାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିଜୟର ବିନ୍ଧାଣୀ ସାଜିଛନ୍ତି । ମାଥ୍ୟୁ ଓ୍ବେଡ୍ ୧୫ ରନ କରି ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକାର ବୋଲରମାନେ ଚତୁରତାର ସହ ବୋଲିଂ କରି କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । କାଗିସୋ ରାବାଡା ୪ ଓଭରରେ ୨୮ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଏନ୍ରିଚ୍ ନୋର୍ଟଜେ ୪ ଓଭରରେ ୨୧ ରନ ୨ ଓ୍ବିକେଟ, କେଶବ ମହାରାଜ ୪ ଓଭରରେ ୨୩ ରନ ୧ ଓ୍ବିକେଟ, ତବରେଜ୍ ସାମସୀ ୪ ଓଭରରେ ୨୨ରନ ୧ ଓ୍ବିକେଟ ନେଇଛନ୍ତି । ଡ୍ବାଇନ୍ ପ୍ରେଟୋରୁସ୍ ୪ ଓଭରରେ ୨୬ ରନ ଦେଇଛନ୍ତି ।
