ଗୁଣିଗାରେଡି ସନ୍ଦେହ : ୪ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ମଣିଷ ଓ ଗଧର ବିଷ୍ଠା ଖୁଆଇଲେ
ନୟାଗଡ଼ : ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍ ତଥା ବାଣିଗୋଛା ଥାନା ଅଧୀନସ୍ଥ ଚଡ଼େୟାପଲ୍ଲୀ ଗାଁରେ। ଗୁଣିଗାରେଡ଼ି ସନ୍ଦେହ କରି ୪ ଜଣଙ୍କୁ ଖୁଣ୍ଟିରେ କିଛି ଗ୍ରାମବସି ବାନ୍ଧି ମାଡ଼ ମାରିଥିଲେ। ଘଟଣାକୁ ସ୍ୱୀକାର କରିବା ପାଇଁ ଜବରଦସ୍ତି କରିଥିଲେ। ପରେ ସେମାନଙ୍କୁ ମଣିଷ ଓ ଗଧର ବିଷ୍ଠା ଖୁଆଇବା ସହ ମହିଳାଙ୍କ ମାସିକ ଋତୁସ୍ରାବ ରକ୍ତ ପିଆଯାଇଛି । ଏଥିସହିତ ସେମାନଙ୍କୁ ଲକ୍ଷାଧିକ ଟଙ୍କାର ନିର୍ଯାତନା ଦିଆଯାଇଛି । ଖବର ପାଇ ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ସେମାନଙ୍କୁ ଛାଡିଦେଇଥିଲେ । ମାତ୍ର ଗ୍ରାମବାସୀଙ୍କ ଭୟରେ ଉକ୍ତ ୪ ଜଣ ୪ ଦିନ ହେବ ଜଙ୍ଗଲରେ ଲୁଚି ରହିଛନ୍ତି ।
ସୂଚନା ଯେ, ଗତ ଅଗଷ୍ଟ ମାସରେ ଗ୍ରାମର ଆରତ ନାୟକଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର ସାନବୋହୂଙ୍କ ଦେହକୁ ଠାକୁର ଆସିଥିଲେ। ସେ ପ୍ରସନ୍ନ (ଉଭା) ହୋଇ ଗ୍ରାମର ସନ୍ତୋଷ ନାୟକ, ବିଘ୍ନରାଜ ସେଠୀ, ବିଦ୍ୟା ନାୟକ ଏବଂ ଭରତ ନାୟକ ଗୁଣିକରି ମାରିଥିବା କଥା କହିଥିଲେ। ଯାହାକୁ ନେଇ ଗ୍ରାମରେ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ବାଣିଗୋଛା ଥାନାରେ ଅଭିଯୋଗ ପରେ ଅଗଷ୍ଟ ୨୧ ତାରିଖ ଦିନ ଆପୋସ ସମାଧାନ ହୋଇଥିଲା। ତେବେ ଏହାକୁ ନେଇ ଗ୍ରାମରେ ବିବାଦ ଥମି ନଥିଲା। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଗୁଣିଆ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରୁ ଠାକୁର ଅଣାଯାଇ ପୂଜାପାଠ କରାଯାଇଥିଲା। ହେଲେ ଗୁଣିଆ ଚିହ୍ନଟ ହୋଇ ପାରିନଥିଲେ। ଗତ ୧୯ ତାରିଖ ପୂର୍ବାହ୍ନରେ ଗ୍ରାମରେ ବୈଠକ ହୋଇଥିଲା। ଏଭଳି ଗୁଣି ଦ୍ବାରା ଗ୍ରାମରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଥିଲା। ଯାହାକୁ ନେଇ ଠାକୁର କହିଥିବା ଏସବୁ ବ୍ୟକ୍ତିଙ୍କୁ ସଭାକୁ ଡକାଇ ଦଣ୍ତ ଦେବାର ନିଷ୍ପତ୍ତି ହୋଇଥିଲା। ବୈଠକକୁ ଏସବୁ ବ୍ୟକ୍ତିଙ୍କୁ ଡକାଇ ସତ ମାନିବା ପାଇଁ କୁହାଯାଇଥିଲା। ଘଟଣା ସମ୍ପର୍କରେ କୌଣସି କଥା ଜାଣିନଥିବା ଏମାନେ କହିବାରୁ ହଠାତ୍ ଗ୍ରାମର ସଂଜୟ ନାୟକ, ଭରତ ନାୟକ, ରୋହିତ ନାୟକ ଏବଂ ତାରାକାନ୍ତ ନାୟକ ଜଣକ ପରେ ଜଣକୁ ଗାଁ ଦାଣ୍ତରେ ଥିବା ଖୁଣ୍ଟରେ ଦଉଡ଼ିରେ ବାନ୍ଧି ମାଡ଼ ମାରିଥିଲେ। ଘଟଣାକୁ ସ୍ବୀକାର କରିବା ପାଇଁ ଜବରଦସ୍ତି କରିଥିଲେ। ଏପରିକି ସେମାନଙ୍କ ଦେହକୁ ଅସିଦ୍ଧ ବା ମାରା କରିବା ପାଇଁ ପୂର୍ବ ପ୍ରସ୍ତୁତି ମୁତାବକ ମଣିଷ ଓ ଗଧର ବିଷ୍ଠା ସହ ମହିଳାଙ୍କ ଋତୁସ୍ରାବ ସମୟର କପଡ଼ା ଆଣି ତାକୁ ପାଣିରେ ମିଶାଇ ଜବରଦସ୍ତ ପିଆଯାଇଥିଲା। କିଛି ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସେମାନଙ୍କୁ ପାଲଟା ଧମକ ଦିଆଯାଇଥିଲା। ହେଲେ ସେତିକିରେ ରାଗ ଥମିନଥିଲା। ପ୍ରତ୍ୟେକ ବ୍ୟକ୍ତି ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆସନ୍ତା ୮ ଦିନ ମଧ୍ୟରେ ଗାଁରେ ଜମା କରିବାକୁ ଚୁକ୍ତିନାମାରେ ଦସ୍ତଖତ କରାଇ ନିଆଯାଇଥିଲା। ଯଦି କେହି ଥାନାରେ ଅଭିଯୋଗ କରେ, ଜଣ ପିଛା ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ କହି ଭୟଭୀତ କରାଯାଇଥିଲା। ଦୀର୍ଘ ୩ ଘଣ୍ଟା ଧରି ଗାଁ ଦାଣ୍ତରେ ହୋଇ ଚାଲିଥିବା ଏଭଳି ଅକଥନୀୟ ନିର୍ଯାତନାକୁ ସହ୍ୟ କରିନପାରି କିଛି ବ୍ୟକ୍ତି ବାଣିଗୋଛା ଥାନାର ଆଶ୍ରୟ ନେଇଥିଲେ। ଖବର ପାଇ ଥାନା ଅଧିକାରୀ ବୈଦ୍ୟନାରାୟଣ ଭୋଇ ଗ୍ରାମରେ ପହଞ୍ଚିବା ବେଳକୁ ସେମାନଙ୍କୁ ଦଉଡ଼ିରୁ ଫିଟାଇ ଦିଆଯାଇଥିଲା। ହେଲେ ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଥାନାକୁ ଆଣିଥିଲେ। ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଗଲା। ପୁଲିସ ଏବେ ନାମକୁ ମାତ୍ର ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ସୁହାଇବା ଭଳି ଭାରତୀୟ ଦଣ୍ତବିଧି ଆଇନ ଧାରା ୩୪୧, ୩୨୩, ୩୪୨, ୨୯୪, ୫୦୬ ଏବଂ ୩୪ ଆଇପିସି ଧାରା ଲଗାଇଛି।
