ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପୁଛି ଡାଇରିଆ, ୩ ମୃତ! ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର ଟୁଲୁଙ୍କଡାବ ଗ୍ରାମରେ ଡାଇରିଆ ଆତଙ୍କ । ଗତ କିଛି ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେହିପରି ଏବେବି କେତେ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
ସୂଚନା ଯେ, ଟୁଲୁଙ୍କଡାବ ଗ୍ରାମ ଏକ ଆଦିବାସୀ ବହୁଳ ଅଞ୍ଚଳ । ଗ୍ରାମରେ ବସବାସ କରୁଥିବା କିଛି ପରିବାର ସଦସ୍ୟ ମାସକ ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିଲେ । ଜଣକ ପରେ ଜଣେ ଅସୁସ୍ଥ ହୋଇ ନୀଳଗିରି, ବରହମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିଛିଦିନ ମଧ୍ୟରେ ଉକ୍ତ ଗ୍ରାମର ଟୁକିଳ ପଲେଇ (୬୫), ସଞ୍ଜୟ ବିଶ୍ୱାଳ (୧୮), ଚୁଡ଼ାମଣି ପଢ଼ିଆର (୪୭) ଡାଇରିଆ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି । ଅପରପକ୍ଷେ ସ୍ୱାସ୍ଥ୍ୟ ବିଭାଗ ଗ୍ରାମରେ ଡାଇରିଆ ହୋଇଥିବା କଥା ମାନିଥିବା ବେଳେ ଡାଇରିଆ ଯୋଗୁଁ ମୃତ୍ୟୁ ନୁହେଁ, ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବାର ପ୍ରକାଶ କରିଛି । ଡାଇରିଆ ଘଟଣାକୁ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗରୁ ଏକ ଟିମ୍ ଓ ବରହମପୁର ମେଡିକାଲ ଅଫିସର ସୁରଜ ଜେନା, ବେତକଟା ମେଡିକାଲ ଅଫିସର ପଙ୍କଜ ଭୋଳ, ଷ୍ଟାଫ ନର୍ସ, ଆଶା ଦିଦି, ଏଏନଏମ୍ଙ୍କ ସହିତ ଗୁରୁବାର ଉକ୍ତ ଗ୍ରାମରେ ପହଞ୍ôଚଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଗ୍ରାମ ପାଖ ଦେଇ ବୋହି ଯାଇଥିବା ନଦୀ ପାଣିରେ ବ୍ୟବହାର କରିବା, ବାସନ ଧୋଇବା, ଗାଧେଇବା ଆଦି ହେଉଥିବା ବେଳେ ଏଥିପାଇଁ ଡାଇରିଆ ହୋଇପାରିଥାଏ ବୋଲି ଅନୁମାନ କରାଯାଇଛି । ଏଥିସହ ନଳକୂପ ଓ ନଦୀ ପାଣି ସାମ୍ପୁଲ ନେବା ସହ ଗ୍ରାମରେ ଔଷଧ, ବ୍ଲିଂଚିଂ ପାଉଡର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଅଞ୍ଚଳରୁ ଅସ୍ଥାୟୀ ଭାବେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ପାଣିର ନମୁନା ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଗତ ୧୯ ତାରିଖରେ ବରହମ୍ପୁର ମେଡ଼ିକାଲରେ ଡାଇରିଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସୁସ୍ଥ ହୋଇ ଘରକୁ ଫେରିଥିବାର ଡା. ସୁରଜ ଜେନା ସୂଚନା ଦେଇଛନ୍ତି ।
