କନିଷ୍ଠ ପୁୁରୁଷ ହକି ବିଶ୍ୱକପ ଲାଇନଅପ ଚୂଡାନ୍ତ : ନଭେମ୍ବର ୨୪ରେ ଭାରତ-ଫ୍ରାନ୍ସ ଉଦ୍ଘାଟନୀ ମ୍ୟାଚ
- ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ, ଇଂଲଣ୍ଡ ସ୍ଥାନରେ ଖେଳିବ ପୋଲାଣ୍ଡ
ଭୁବନେଶ୍ୱର : ଦ୍ୱାଦଶତମ କନିଷ୍ଠ ପୁୁରୁଷ ହକି ବିଶ୍ୱକପ ନେଇ ଲାଇନଅପ ଚୂଡାନ୍ତ ହୋଇଛି । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଏହି ସବୁ ମ୍ୟାଚ ଖେଳାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁଲ-ଏରେ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ରହିଥିବାବେଳେ ପୁଲ-ବିରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ, କାନାଡା ଓ ପୋଲାଣ୍ଡ, ପୁଲ-ସିରେ କୋରିଆ, ନେଦରଲାଣ୍ଡ୍ସ, ସ୍ପେନ ଓ ଆମେରିକା ରହିଥିବାବେଳେ ପୁଲ-ଡିରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଓ ପାକିସ୍ତାନ ରହିଛନ୍ତି।
ନଭେମ୍ବର ୨୪ରେ ଆୟୋଜକ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଉକ୍ତ ଦିନ ଅନ୍ୟ ୪ଟି ମ୍ୟାଚ ବେଲଜିୟମ- ଦକ୍ଷିଣଆଫ୍ରିକା, ମାଲେସିଆ- ଚିଲି, ଜର୍ମାନୀ- ପାକିସ୍ତାନ, କାନାଡା- ପୋଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଭାରତ ନଭେମ୍ବର ୨୫ରେ କାନାଡା ଓ ୨୭ରେ ପୋଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ। ଲିଗ୍ ପର୍ଯ୍ୟାୟରେ ମୋଟ ୨୪ଟି ମ୍ୟାଚ ନଭେମ୍ବର ୨୮ ପର୍ୟ୍ୟନ୍ତ ଖେଳାଯିବ। ଡିସେମ୍ବର ୩ରେ ସେମିଫାଇନାଲ ଓ ୫ରେ ଫାଇନାଲ ମ୍ୟାଚ ଖେଳାଯିବ।ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ,ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଥିବାବେଳେ ତାଙ୍କ ସ୍ଥାନରେ ଆମେରିକା , କାନାଡା ଓ ପୋଲାଣ୍ଡ ସ୍ଥାନ ପାଇଛନ୍ତି।
