ବେଜିଂକୁ ଅଲିମ୍ପିକ୍ ମଶାଲ ହସ୍ତାନ୍ତର କଲା ଗ୍ରିସ୍
ଏଥେନ୍ସ : ୨୦୨୨ ବେଜିଂ ଶୀତକାଳୀନ କ୍ରୀଡ଼ା ଲାଗି ଅଲିମ୍ପିକ୍ ମଶାଲ ଆୟୋଜକଙ୍କୁ ହସ୍ତାନ୍ତର କରିଛି ଗ୍ରିସ୍ । ଐତିହାସିକ ଏଥେନ୍ସର ପାନାଥେନାଇକ ଷ୍ଟାଡିୟମ ଠାରେ ହେଲେନିକ ଅଲିମ୍ପିକ୍ ସମିତି ମୁଖ୍ୟ ସ୍ପାୟରସ କାପ୍ରା ଲସ ଅଲିମ୍ପିକ୍ ମଶାଲକୁ ବେଜିଂ ୨୦୨୨ ଏବଂ ଚାଇନିଜ୍ ଅଲିମ୍ପିକ୍ ସମିତି ଉପସଭାପତି ୟୁ ଜାକିଙ୍ଗ୍ଙ୍କୁ ପ୍ରଦାନ କରିଥିଲେ ।
‘‘ଅଲିମ୍ପିକ୍ ମଶାଲ ଗ୍ରେଟ୍ ୱାଲ୍ ସହ ସାରା ଚୀନ୍ ପରିଭ୍ରମଣ କରିବ । ଏହା ଶାନ୍ତି ଓ ବନ୍ଧୁତ୍ୱର ଆଲୋକ ଆଣିବ । ଚୀନ୍ ଶୃଙ୍ଖଳିତ, ନିରାପଦ ଓ ଚମତ୍କାର ଭାବେ ଏହାକୁ ଆୟୋଜନ କରିବାକୁ ପ୍ରତିଶୃତିବଦ୍ଧ’’ ବୋଲି ୟୁ କହିଛନ୍ତି । ଆସନ୍ତା ବର୍ଷ ଫେବ୍ରୁଆରି ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୮୫ ଜାତୀୟ ଅଲିମ୍ପିକ୍ ସମିତିରୁ ୨୯୦୦ରୁ ଊର୍ଦ୍ଧ୍ୱ ଆଥ୍ଲେଟ୍ ଭାଗନେବେ । ବିନା ଦର୍ଶକରେ ଆୟୋଜିତ ଅଲିମ୍ପିକ୍ ମଶାଲ ହସ୍ତାନ୍ତର ଉତ୍ସବରେ କେବଳ କିଛି ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
