ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏଥିସହ ତାଙ୍କ ସହଯୋଗୀ ଓ ସମର୍କୀୟଙ୍କ ସମେତ ୧୫ ଜଣଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ରବିବାର ସକାଳ ୬ଟା ସମୟରେ କଟକ ଭିଜିଲାନ୍ସ ବିଭାଗ ଅତର୍କିତ ଭାବେ ଏକକାଳୀନ ଚଢ଼ାଉ କରିଛି । ବର୍ତ୍ତମାନ ୩ଟି ସ୍ଥାନରେ ଚଡାଉ ହୋଇଥିବା ବେଳେ ବହୁତ ଜଲଦି ଅନ୍ୟ ସହଯୋଗୀଙ୍କ ଘରେ ଚଡ଼ାଉ କରାଯିବ ବୋଲି ଜଣାପଡ଼ିଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢ଼ାଉ ଜାରି ରହିଛି । ଜଣେ ଏସପି, ୨ ଜଣ ଅତିରିକ୍ତ ଏସ ପି ଓ ୧୭ ଜଣ ଡିଏସପି ତଦନ୍ତ କରୁଛନ୍ତି । ପ୍ରଦୀପଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।
ସୂଚନା ଯେ, ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି। ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ୨୦୨୦ ଭିତରେ ୫ କୋଟି ୫ଲକ୍ଷ ୪୬୬୫ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।
