ଆଜି ଦଶହରା, ଦର୍ଶନରୁ ବଞ୍ଚିତ ଭକ୍ତ
ଭୁବନେଶ୍ୱର : ଆଜି ବିଜୟ ଦଶମୀ ଅର୍ଥାତ୍ ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ଦିନ । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି।
ପ୍ରଭୁ ଶ୍ରୀରାମ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରିଥିଲେ । ଏହାପରେ ରାବଣକୁ ବଦ୍ଧ କରି ଲଙ୍କା ଉପରେ ବିଜୟ ହାସଲ କରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ସେବେଠାରୁ ଦଶହରାରେ ରାବଣ ପୋଡି କରାଯାଇଥାଏ । ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ମହିଷାସୁରକୁ ବଦ୍ଧ କରିଥିଲେ । ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯଏ । ନବମୀ ରାତିର ଅନ୍ଧକାର ସହିତ ଅନୁର ବଂଶ ନିପାତ ଫଳରେ ତିନିଲୋକରୁ ଅମଙ୍ଗଳ ଛାୟ ଅପସରି ଯାଇଥିଲା । ତେଣୁ ନବମୀ ପରବର୍ତ୍ତୀ ଦିନଠାରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହେଲା ବୋଲି ବିଶ୍ୱାସ ରହିଛି । ଆଜି ହେଉଛି ମାଙ୍କର ବିଶ୍ରାମର ଦିନ । କାରଣ କାଲି ଧରାପୃଷ୍ଠରୁ ମେଲାଣୀ ନେବେ ମାଆ । ଏହାସହ ଆଜି ବିଭିନ୍ନ ପୂଜା ମଣ୍ଡପରେ ବଙ୍ଗାଳୀ ସମ୍ପ୍ରଦାୟର ସ୍ତ୍ରୀ ଲୋକେ ସିନ୍ଦୁର ଖେଳ କରିବାର ପରମ୍ପରା ବି ରହିଛି ।
ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ମହାନବମୀ ପୂଜା ପାଳିତ ହୋଇଯାଇଛି। ବିଧି ଅନୁସାରେ ସପ୍ତମୀ ଶେଷ ଓ ଅଷ୍ଟମୀ ତିଥି ଆରମ୍ଭରେ ସନ୍ଧି ପୂଜା କରାଯାଇଥିଲା। ପୂଜକଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଥିଲା। ମାତ୍ର ନବମୀ ପୂଜାର ପରିବେଶ ଥିଲା ନିଆରା। ଶ୍ରଦ୍ଧାଳୁଙ୍କ ଭିଡ଼ ବିନା ମଣ୍ଡପ ଲାଗୁଥିଲା ଖାଁ ଖାଁ। ସବୁ ମଣ୍ଡପର ତିନିପାର୍ଶ୍ବକୁ କପଡ଼ା ଦ୍ବାରା ଆଚ୍ଛାଦିତ କରାଯାଇଥିଲା। ଭିଡ଼କୁ ଏଡ଼ାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପୁଲିସ ମୁତୟନ କରାଯାଇଥିଲା। ଫଳରେ ବହୁ ମଣ୍ଡପରେ ନବମୀ ପୂଜା ଅବସରରେ ଏକପ୍ରକାର ନିରବତା ଛାଇ ଯାଇଥିଲା। ପଣ୍ଡିତଙ୍କ ମନ୍ତ୍ରୋଚାରଣ ଥିଲା ହେଲେ ଶ୍ରଦ୍ଧାଳୁଙ୍କ କୋଳାହଳ ନଥିଲା। ଚଳିତ ବର୍ଷ ମହାମାରୀ ପାଇଁ ଲୋକଙ୍କ ଗହଳି ଚହଳି, ପୂଜା ମଣ୍ଡପରେ ସାଜସଜା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକଙ୍କ ମନରେ ଭକ୍ତି ଭାବ ରହିଥିଲେ ମଧ୍ୟ କଟକଣା ପାଇଁ ଦେବୀଙ୍କ ଦର୍ଶନରୁ ସେମାନେ ବଞ୍ଚିତ ହେଉଛନ୍ତି। ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଛି। ବିଭିନ୍ନ ଟେଣ୍ଡ୍ ହାଉସଠାରୁ ଆରମ୍ଭ କରି ସାଉଣ୍ଡ୍ ସିଷ୍ଟମ ଯୋଗାଉଥିବା ବ୍ୟବସାୟୀ, ମେଲୋଡିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ କଳା ପରିବେଷଣ କରୁଥିବା ଦଳ, ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣଠାରୁ ଆରମ୍ଭ କରି ଉଠାଦୋକାନ ବଜାର ଖୋଲିବା ଆଦି ନେଇ ପ୍ରଶାସନିକ ରୋକ୍ ଲାଗିଛି। ତେବେ ପାର୍ବଣର ଏହି ଭକ୍ତିପୂର୍ଣ୍ଣ ପରିବେଶରେ ଘରେ ରହି ଶ୍ରଦ୍ଧାଳୁ ଏଭଳି ଦୁର୍ଦ୍ଦିନ କେବେ ସରିବ, ଆସନ୍ତାବର୍ଷକୁ ଆଶାବାନ୍ଧି ମହିଷାମର୍ଦ୍ଦିନୀଙ୍କୁ ତା’ର ଅଳି ଜଣାଉଛି।
