ବିଆର ଇସ୍ପାତ କାରଖାନାରେ ବିସ୍ଫୋରଣ, ଦୁଇ ଆହତ
ସମ୍ୱଲପୁର : ବୁର୍ଲା ସ୍ଥିତ ବିଆର ଇସ୍ପାତ କାରଖାନାରେ ବିସ୍ଫୋରଣ । ୨ନମ୍ବର ଫର୍ଣ୍ଣେନ୍ସରେ ବିସ୍ପୋରଣ ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟାନ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ମାସେ ତଳେ ମଧ୍ୟ ଏପରି ଏକ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସୂଚନା ଯେ, ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲାର ବିଆର ଷ୍ଟିଲ ପ୍ଲାଣ୍ଟରେ ଏହି ଘଟଣା ଘଟିଛି। ରିପୋର୍ଟ ଦାଖଲ ହେବାପରେ ଦୁର୍ଘଟଣାର କାରଣ ଜଣା ପଡିନାହିଁ। ଆହତ ବ୍ୟକ୍ତିମାନେ ଇସ୍ପାତ କାରଖାନାର ଶ୍ରମିକ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରେ ଦୁଇଜଣ ଶ୍ରମିକ ଦୁର୍ଘଟଣାରେ ଗୁରୁତର ପୋଡି ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଦ୍ୱୟ ହେଲେ ଠିକା ଶ୍ରମିକ ରଂଜୟ କୁମାର ଓ ଅନ୍ୟଜଣେ ହେଲେ ଗୋଲୁ କୁମାର ଯାଦବ । ତେବେ ରଂଜୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ ରାଉଲକେଲା ସ୍ଥାନାନ୍ତର କରାଯାଇଥିବାବେଳେ ଗୋଲୁ କୁମାର ଯାଦବଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ରଂଜୟ କୁମାର ଔରଙ୍ଗାବାଦ ଭୁନିଆର ହୋଇଥିବାବେଳେ ଗୋଲୁ କୁମାର ଯାଦବ ବିହାରର ବୋଲି ଜଣାପଡିଛି ।
