ପଞ୍ଜାବ କିଙ୍ଗସର ଲଜ୍ଜାଜନକ ରେକର୍ଡ଼ : କ୍ରମାଗତ ୭ମ ବର୍ଷ ପାଇଁ ପ୍ଲେ ଅଫରୁ ବାଦ୍
ଦୁବାଇ : ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ୬ଷ୍ଠ ସ୍ଥାନରେ ରହି ତା’ର ଅଭିଯାନ ଶେଷ କରିଛି । ଏଥିସହ ପୁଣିଥରେ ଆଇପିଏଲରେ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି । ଆଇପିଏଲରେ ବାରମ୍ବାର ବିଫଳ ହେଉଥିବା ପଞ୍ଜାବ କିଙ୍ଗସ ନାଁରେ ଏବେ ଗୋଟିଏ ଅଲୋଡ଼ା ତଥା ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି । କ୍ରମାଗତ ୭ମ ବର୍ଷ ପାଇଁ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରିନାହିଁ ।
୨୦୨୧ ସଂସ୍କରଣ ପୂର୍ବରୁ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କ୍ରମାଗତ ୬ଥର ଲେଖାଏ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରି ନଥିଲେ । ହେଲେ ୨୦୨୧ରେ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ନପାରି ଦିଲ୍ଲୀର ଅଲୋଡ଼ା ରେକର୍ଡକୁ ଅତିକ୍ରମ କରିଛି । ପଞ୍ଜାବ କିଙ୍ଗସ ଆଇପିଏଲର ଏକମାତ୍ର ଦଳ ଯିଏ କ୍ରମାଗତ ୭ମ ବର୍ଷ ପାଇଁ ପ୍ଲେ ଅଫ ଖେଳିବାରୁ ବଂଚିତ ହୋଇଛି । ପଞ୍ଜାବ ୨୦୧୪ ଆଇପିଏଲର ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଦଳକୁ କୋଲକାତା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା । ସେବେଠାରୁ ଦଳ ଆଇପିଏଲରେ ଆଉ ପ୍ଲେ ଅଫକୁ ଯାଇପାରୁନାହିଁ । ୨୦୦୮ ଆଇପିଏଲର ପ୍ରଥମ ସଂସ୍କରଣରେ ବି ପଞ୍ଜାବ ସେମି ଫାଇନାଲକୁ ଯାଇଥିଲା । ହେଲେ ଦଳ ଏବେ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି । ୨୦୨୧ ସଂସ୍କରଣକୁ ଦେଖିଥିଲେ ପଞ୍ଜାବ ୧୪ଟି ମ୍ୟାଚ୍ରୁ ୬ଟି ଜିତି ତା’ର ଅଭିଯାନ ୬ଷ୍ଠ ସ୍ଥାନରେ ଶେଷ କରିଛି । ପଞ୍ଜାବ ପୂର୍ବରୁ ଦିଲ୍ଲୀ ସମାନ ଦଶା ଭୋଗିଥିଲା । ୨୦୧୩ରୁ ୨୦୧୮ ଯାଏ ଦିଲ୍ଲୀ ଗୋଟିଏ ଥର ମଧ୍ୟ ଟପ୍ ୪ରେ ପ୍ରବେଶ କରିପାରି ନଥିଲା । କିନ୍ତୁ ୨୦୧୯, ୨୦୨୦ ଓ ୨୦୨୧ରେ ଦଳ ପ୍ଲେଅଫକୁ ଯାଇଛି । ଏପରି କି ୨୦୨୦ରେ ଦିଲ୍ଲୀ ଫାଇନାଲରେ ମଧ୍ୟ ଟ୍ରଫି ପାଇଁ ଲଢ଼େଇ କରିଥିଲେ । ହେଲେ ମୁମ୍ବାଇ ଠାରୁ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା । ଏଥର ଦଳ ୧୪ଟି ମ୍ୟାଚ୍ରୁ ୧୦ ବିଜୟ ସହ ପଏଂଟ ଟେବୁଲର ୧ନଂ ସ୍ଥାନରେ ରହି ପ୍ଲେଅଫକୁ ଯାଇଛି । ଟ୍ରଫି ହାସଲ କରିବାର ପ୍ରବଳ ଦାବିଦାର ରହିଛି । ଆଇପିଏଲରେ ପଞ୍ଜାବ, ଦିଲ୍ଲୀ ଓ ଆରସିବି ଏଯାଏ ଚାମ୍ପିୟନ ହୋଇନାହାନ୍ତି । ଦିଲ୍ଲୀ ଓ ଆରସିବି ଏଥର ପ୍ଲେଅଫକୁ ଯାଇଥିବାରୁ ସେମାନେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି ।
