ଶାହରୁଖଙ୍କ ଝଟକା : ସମସ୍ତ ବିଜ୍ଞାପନ ପ୍ରସାରଣ ବନ୍ଦ ରଖିଲା ବାଇଜୁସ୍
ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆରୟାନ ଖାଁ ବେଆଇନ ନିଶା ସେବନ ମାମଲାରେ ଏନସିବି ହାତରେ ଧରାପଡି ଜେଲ ଯିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ନେଇ ସଂପ୍ରତ ବଲିଉଡରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଶାହରୁଖ ଖାଁଙ୍କ ଅଭିନୀତ ସମସ୍ତ ବିଜ୍ଞାପନ ପ୍ରସାରଣକୁ ବନ୍ଦ ରଖିଛି ପ୍ରମୁଖ ଏଡ-ଟେକ୍ କମ୍ପାନୀ ବାଇଜୁସ୍ ।
ବର୍ତ୍ତମାନ ଆରୟାନଙ୍କ ବିରୁଦ୍ଧରେ ଏନସିବି ଅଧିକ ତଦନ୍ତ ଜାରି ରଖିଥିବାବେଳେ ତାଙ୍କର ଜାମିନ ଆବେଦନ ମଧ୍ୟ ନାମଞ୍ଜୁର ହୋଇଯାଇଛି । ଏଭଳି ପରିସ୍ଥିତିରେ ଶାହରୁଖଙ୍କୁ ନେଇ ନିଜର ପ୍ରଚାର ପ୍ରସାର କରୁଥିବା ବାଇଜୁସ୍ ଶାହରୁଖ ଥିବା ସମସ୍ତ ବିଜ୍ଞାପନକୁ ବନ୍ଦ କରିଦେଇଛି । ଏହି ବିଜ୍ଞାପନଗୁଡିକ ନିମନ୍ତେ କମ୍ପାନୀ ଆଗୁଆ ବୁକିଂ କରିଥିବାବେଳେ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ଶିକାର ହେବାପରେ ସେଗୁଡିକର ପ୍ରସାରଣକୁ ବନ୍ଦ ରଖିଛି । ସୂଚନା ଯେ, ବାଇଜୁସ୍ ସମେତ ହୁଣ୍ଡାଇ, ଏଲଜି, ଦୁବାଇ ଟୁରିଜମ, ଆଇସିଆଇସିଆଇ ଏବଂ ରିଲାଏନ୍ସ ଜିଓ ଅନେକ ପ୍ରମୁଖ ସଂସ୍ଥାର ବିଜ୍ଞାପନରେ ଶାହରୁଖ ଖାଁ ପ୍ରମୁଖ ଚେହେରା ପାଲଟିଛନ୍ତି । ବାଇଜୁସ୍ ନିଜ ବ୍ରାଣ୍ଡ୍ର ପ୍ରଚାର ପ୍ରସାର ନିମନ୍ତେ ଶାହରୁଖଙ୍କୁ ପ୍ରତିବର୍ଷ ୩ରୁ ୪ କୋଟି ଟଙ୍କା ପ୍ରଦାନ କରୁଥିବା ଜଣାଯାଇଛି । ସେ ୨୦୧୭ରୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ହୋଇ ରହିଛନ୍ତି ।
