ଆଇପିଏଲ-୨୦୨୧ : ୩ ଉଇକେଟରେ ଜିତି ଶୀର୍ଷରେ ଦିଲ୍ଲୀ
ଦୁବାଇ : ଆଇପିଏଲ୍ର ୫୦ତମ ଲିଗ୍ ମୁକାବିଲାରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ବୋଲରଙ୍କ ପରେ ବ୍ୟାଟ୍ସମ୍ୟାନ କମାଲ ଦେଖାଇଛନ୍ତି ।ଶେଷ ପର୍ଯ୍ୟନ୍ତ ଲଢ଼ି ୩ ଉଇକେଟରେ ଜିତି ଶୀର୍ଷ ସ୍ଥାନ ଅଧିକାର କରିଛି ଦିଲ୍ଲୀ ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟୁର୍ଣ୍ଣାମେଣ୍ଟର ଲିଡ୍ ସ୍କୋରର ଋତୁରାଜ ଗାଏକ୍ୱାଡ୍ ମାତ୍ର ୧୩ ରନ୍ କରି ଆନରିଚ୍ ନୋର୍ଜେଙ୍କ ଶିକାର ହୋଇଥିଲେ। ତାଙ୍କ ଓପନିଂ ପାର୍ଟନର ଫାଫ୍ ଡୁପ୍ଲେସିସ୍ (୧୦) ମଧ୍ୟ ନିରାଶ କରିଥିଲେ। ସୁରେଶ ରାଇନାଙ୍କ ସ୍ଥାନରେ ସୁଯୋଗ ପାଇଥିବା ରବିନ୍ ଉଥପ୍ପା ଫାଇଦା ଉଠାଇପାରିନଥିଲେ। ସେ ମାତ୍ର ୧୯ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ମୋଇନ୍ ଅଲୀ (୫) ମଧ୍ୟ ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ଏହିପରି ଭାବେ ଦଳ ୬୨ ରନରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ବେଳେ ରାୟୁଡୁ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦଳର ସମ୍ମାନ ରଖିଥିଲେ। ରାୟୁଡୁ ଓ ଧୋନି ପଞ୍ଚମ ୱିକେଟ୍ ପାଇଁ ୭୦ ରନର ଭାଗିଦାରୀ କରିଥିଲେ। ଧୋନି ଧିମା ବ୍ୟାଟିଂ କରି ୨୭ ବଲରେ ମାତ୍ର ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ରାୟୁଡୁ ଗୋଟିଏ ପଟେ ରନ୍ ଗତି କାଏମ ରଖି ଦଳକୁ ୧୩୬ ରନରେ ପହଞ୍ଚାଇଥିଲେ। ରାୟୁଡୁ ୪୩ ବଲରେ ୫୫ ରନ୍ କରି ଅପରାଜିତ ଥିଲେ, ଯେଉଁଥିରେ ୫ ଚୌକା ଓ ୨ ଛକା ସାମିଲ୍ ଥିଲା। ରବୀନ୍ଦ୍ର ଜାଡେଜା ୧ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ୨ଟି, ନୋର୍ଜେ, ଆଭେଶ୍ ଖାନ୍ ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
୧୩୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀର ଦୁଇ ଓପନର ପୃଥ୍ଵୀ ଶ ଓ ଶିଖର ଧାଓ୍ଵନ ୨୪ ରନ ଯୋଡିଥିଲେ। ଧାଓ୍ଵନ ଗୋଟିଏ ପଟେ କ୍ରିଜରେ ଛିଡା ହୋଇଥିବା ବେଳେ ଅନ୍ୟପଟେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଶ ବ୍ୟକ୍ତିଗତ ୧୮ ରନରେ ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର(୨) ସଅଳ ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ(୧୫) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ରିପଲ ପଟେଲ୍ କ୍ରିଜରେ କିଛି ସମୟ ରହି ବ୍ୟକ୍ତିଗତ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଶିଖର ଧାଓ୍ଵନ ୩୫ ବଲ୍ରୁ ୩ ଚୌକା ଓ ୨ ଛକା ଜରିଆରେ ୩୯ ରନରେ ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ସିମରନ ହେଟମାୟର ଦ୍ରୁତ ୨୮ ରନ କରି ଦଳକୁ ବିଜୟୀ କରାଇଥିଲେ। କାଗିସୋ ରାବଡା ଦିଲ୍ଲୀ ପାଇଁ ବିଜୟ ସୂଚକ ଚୌକା ମାରି ଦଳକୁ ଜିତାଇଥିଲେ। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୧୩ ରନରେ ୨ ଏବଂ ରବୀନ୍ଦ୍ର ଜାଡେଜା ୨ ସଫଳତା ପାଇଥିଲେ। ସେହି ପରି ଦୀପକ ଚହର, ଜୋସ ହେଜେଲଉଡ ଓ ଡ୍ଵେନ ବ୍ରାଭୋ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
