ବଦଳିଲା ମଧ୍ୟାହ୍ନଭୋଜନର ନାଁ : ଏଣିକି ପିଏମ୍ ପୋଷଣ ନାମରେ ପରିଚିତ ହେବ
ନୂଆଦିଲ୍ଲୀ : ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ନାମ ପରିବର୍ତ୍ତନ କରାଯାଇଛି ଏବଂ ତାହା ଏଣିକି ପିଏମ୍ ପୋଷଣ ନାମରେ ପରିଚିତ ହେବ । ଏଥିସହିତ ଏହି ଯୋଜନାରେ ପ୍ରାକ୍ ପ୍ରାଥମିକ ବା ବାଲ୍ ବାଟିକା ପିଲାଙ୍କୁ ମଧ୍ୟ ସାମିଲ କରାଯିବା ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।
ବିଭିନ୍ନ ପୂଜା ପାର୍ବଣ ଏବଂ ବିଶେଷ ଦିନମାନଙ୍କରେ ପିଲାମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁମତି ପ୍ରଦାନ କରିବା ସକାଶେ ତିଥି ଭୋଜନ ଯୋଜନାକୁ ଉତ୍ସାହିତ କରିବା, ବିଦ୍ୟାଳୟ ପୋଷଣ ବଗିଚାରେ ହେଉଥିବା ପନିପରିବାକୁ ବ୍ୟବହାର କରି ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରସ୍ତୁତ କରିବା, ଶୁଦ୍ଧ ସ୍ୱଦେଶୀ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ରନ୍ଧନ ପ୍ରତିଯୋଗିତା ଆୟୋଜନ, ଏହି ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ନୂତନ ଉପାୟ ଅବଲମ୍ବନ ସହିତ ସେଥିରେ କୃଷକ ଉତ୍ପାଦକ ସଂଗଠନସମୂହ (ଏଫପିଓ) ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କର ସଂପୃକ୍ତି ଆଦି ନୂତନ ବୈଶିଷ୍ଟ୍ୟଗୁଡିକୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ପିଏମ୍ ପୋଷଣ ଯୋଜନାର ପ୍ରଚଳନକୁ ଅନୁମୋଦନ କରିଛନ୍ତି । ଏଥିରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଯୋଜନା ବଳବତ୍ତର ରହିବ ଏବଂ ଏହାଦ୍ୱାରା ଦେଶର ୧୧.୨୦ ଲକ୍ଷ ବିଦ୍ୟାଳୟରେ ୧ରୁ ୮ ବର୍ଷ ବୟସର ୧୧.୮୦ କୋଟି ପିଲା ଉପକୃତ ହେବେ ।
