୨୭ରୁ କାନାଡାକୁ ଭାରତରୁ ସିଧାସଳଖ ଉଡ଼ିବ ବିମାନ
ନୂଆଦିଲ୍ଲୀ : ଭାରତରୁ ଆସୁଥିବା ସିଧାସଳଖ ବିମାନ ଉପରେ ଲାଗିଥିବା କଟକଣାକୁ କାନାଡା ହଟାଇ ଦେଇଛି । ଏଣିକି ସେପ୍ଟେମ୍ବର ୨୭ରୁ ଭାରତୀୟ ବିମାନ ସିଧାସଳଖ କାନାଡାକୁ ଉଡିପାରିବ । ଶେଷ ଥର ପାଇଁ ଉଡାଣ ଉପରେ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ କଟକଣା ବଢ଼ାଇ ଦିଆଯାଇଥିଲା । କିନ୍ତୁ ଏବେ ସରକାର କଟକଣାରେ କୋହଳ କରିଛନ୍ତି ।
କିନ୍ତୁ କାନାଡା ଯୁବାକୁ ଆଗ୍ରହୀ ଯାତ୍ରୀମାନଙ୍କୁ ଏକ ସର୍ତ୍ତ ପାଳନ କରିବାକୁ ପଡ଼ିବ । ଯଦି ଯାତ୍ରୀମାନେ ସର୍ତ୍ତକୁ ଅବମାନନା କରନ୍ତି, ତାହେଲେ ବିମାନ କଂପାନୀ ଯାତ୍ରୀଙ୍କ ଯାତ୍ରାକୁ ମନା ମଧ୍ୟ କରିପାରେ । କାନାଡା ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରସ୍ଥିତ ଜନଷ୍ଟ୍ରୀଙ୍ଗ୍ସ ଲ୍ୟାବରୁ କୋଭିଡ-୧୯ର ମଲିକ୍ୟୁଲାର ଟେଷ୍ଟର ନେଗେଟିଭ ରିପୋର୍ଟ ନେବାକୁ ପଡ଼ିବ । ଏହି ଟେଷ୍ଟ ବିମାନ ଉଡାଣର ୧୮ ଘଣ୍ଟା ପୂର୍ବରୁ କରିବାକୁ ପଡ଼ିବ । ବୋର୍ଡିଙ୍ଗ ପୂର୍ବରୁ ଏୟାର ଅପରେଟରଙ୍କୁ ଏହି ପରୀକ୍ଷା ରିପୋର୍ଟ ଦେଖାଇବାକୁ ହେବ । ଏହି ରିପୋର୍ଟ ଆଧାରରେ ଯାତ୍ରୀ ଜଣକ କାନାଡା ଯିବା ପାଇଁ ଯୋଗ୍ୟ କି ନୁହେଁ, ତାହା ଜଣାପଡ଼ିବ । ଯଦି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ, ତା’ହେଲେ ଏହାକୁ ଅଧିକୃତ ପରୀକ୍ଷାଗାର ଦ୍ୱାରା ଜାରି ମଲିକ୍ୟୁଲାର ଟେଷ୍ଟର ପଜିଟିଭ ରିପୋର୍ଟ ଦେଖାଇବାକୁ ହେବ । ଏହି ରିପୋର୍ଟ ୧୪ ଦିନରୁ ୧୮୦ ଦିନ ଭିତରେ ହେବା ଉଚିତ ।
