ଡଙ୍ଗା ବୁଡି ଘଟଣା : ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ
ଭୁବନେଶ୍ୱର : କଟକ ମୁଣ୍ଡଳୀ ବ୍ରିଜ୍ ନିକଟରେ ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣାରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରି ନଥିଲେ । ଏହାପରେ ଏବେ ମୃତଦେହକୁ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।
ମୁଣ୍ଡଳୀ ବ୍ରିଜ୍ ନିକଟରେ ହାତୀ ଘଉଡ଼ାଉବା ବେଳେ ବୋଟ ବୁଡି ପରେ ଦଉଡି ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇଯାଇଥିଲେ ସୀତାରାମ । ଏବେ ତାଙ୍କ ମୃତଦେହ ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ଗୁରୁତର ଥିବା ଅନ୍ୟ ୩ ଜଣଙ୍କୁ କଟକ ଏସସିବି ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯାଉଛି । ସୂଚନା ଯେ, ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ସୀତାରାମଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଥିଲେ । ପରିବାର କହିଲେ ତାଙ୍କ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି । ଓଡ୍ରାଫର ଜଣେ ଦକ୍ଷ ବୁଡାଳିଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।
