ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତାକାଲି ମାଓଦମନ ବୈଠକରେ ଯୋଗ ଦେବେ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ରବିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ମାଓ ମୁକାବିଲା ରଣନୀତି ବୈଠକରେ ଯୋଗଦାନ କରିବେ । ଦେଶରେ ଉଗ୍ରବାଦର ମୂଳୋତ୍ପାଟନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ରବିବାର ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀ ଠାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦେଶର ସବୁ ମାଓପ୍ରବଣ ରାଜ୍ୟର ମୁଖ୍ୟମୁନ୍ତ୍ରୀମାନେ ଯୋଗଦେବେ। ସେହିପରି ଶନିବାର ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଗ୍ରବାଦ୍ ଦମନ ଲାଗି ରାଜ୍ୟ ଉପରେ ବକେୟା ଗଡୁଥିବା ଅର୍ଥ ଛାଡ୍ କରିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବାକୁ ରହିଛି।
ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱାର୍ଥକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୃଢତାର ସହ ଉଠାଇବେ। ମାଓ ଦମନ ଲାଗି ୨୦୧୭ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ୨ହଜାର ୯୦୭ କୋଟି ଟଙ୍କାର ବକେୟା କେନ୍ଦ୍ରର ଗଡୁଛି। ଏହାକୁ ଛାଡ୍ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାହାକୁ ଛାଡ୍ କରିନାହାନ୍ତି। ଏହି ଦାବି ଦୋହରାଯିବା ସହିତ କେନ୍ଦ୍ରୀୟ ଅଂଶଧନ ହାର ୯୦ ପ୍ରତିଶତ କରିବା ପାଇଁ କେନ୍ଦ୍ର ରାଜି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ। ଏହାକୁ ତୁରନ୍ତ ଲାଗୁ କରିବା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ‘ବିଆରଜିୱାଇ’ ଯୋଜନା ପୁନଃ କାର୍ଯ୍ୟକାରୀ କରିବା ଭଳି ଦାବି ଉଠିବାର ରହିଛି। ସୂଚନା ଯେ, ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ନୟାଗଡ ଭଳି ୫ଟି ଜିଲାରେ ମାଓ ଦମନ ହ୍ରାସ କରାଯାଇ ପାରିଛି। ଏହାବାଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆପଡାରେ ମାଓଦମନ ଲାଗି ୬ଟି ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯିବାକୁ ରହିଥିବାବେଳେ କନ୍ଧମାଳ ଓ ଗଜପତି ଭଳି ଅନ୍ୟାନ୍ୟ ଜିଲାରେ ୪୩ଟି ଅତ୍ୟାବଶ୍ୟକ ରାସ୍ତା ସହିତ ୧୪ଟି ସେତୁ ନିର୍ମାଣ ହେବାକୁ ରହିଛି। ଏବାବଦକୁ ରାଜ୍ୟ ସରକାର ପ୍ରାୟ ୨୮୦କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟର ମାଓଦମନ ଲାଗି ଥିବା ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରକୁ ଅବଗତ କରାଯିବ ବୋଲି ଜଣାଯାଇଛି।
