ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରିରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ । ମାଥିଲି ଥାନା ତୁଳସୀ ପାହାଡ଼ ନିକଟ କିରିମିଟି ଓ ଚାନ୍ଦିମେଟା ଗାଁ ଅଧୀନସ୍ତ ଜଙ୍ଗଲରେ ଡିବିଏଫ ଓ ଏସଓଜି ଯବାନମାନେ କୁମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ଯବାନମାନଙ୍କୁ ଦେଖି ଗୁଳିଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ପରେ ଘଞ୍ଚ ଜଙ୍ଗଲ ଆଡରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ପଳାଇ ଯାଇଥିଲେ। ତେବେ ବର୍ତମାନ ସୁଦ୍ଧା କୁମ୍ବିଂ ଚାଲିଛି। ସେଠାରୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି ।
ସୂଚନା ଯେ, ତୁଳସି ପାହାଡ ଉପରେ ଥିବା କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏହି କୁମ୍ବିଂ ଅପରେସନରେ ଏସଓଜି, ଡିଭିଏଫ ଓ ବିଏସଏଫ ବାହୀନି ସାମିଲ ଥିଲେ । ତେବେ ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହା ପରେ ଜବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣା ପରେ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଯାହା ମଧ୍ୟରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନିଟର, ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ପୋଷାକ ଓ ଔଷଧ ସହ ମାଓ ପୋଷ୍ଟର ରହିଛି । ତେବେ ଏହି ଗୁଳି ବିନିମୟରେ ଟପ୍ ମାଓ ନେତା ଉଦୟ ଓ ସୁରେଶ ଓରଫ ସୁରାନା ଖସି ପଳାଇ ଥିବା ନେଇ ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି। ତେବେ ବର୍ତମାନ ମଧ୍ୟ ସେହି ଅଂଚଳରେ କୁମ୍ବିଂ ଚାଲିଥିବାବେଳେ ମାଓବାଦୀମାନେ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ପାଇଁ ଏସପି ଆହ୍ୱାନ ଦେଇଛନ୍ତି ।
