ଗୁଣୁପୁର ପୋଲିସକୁ ବଡ ସଫଳତା : ବନ୍ଧୁକ ତିଆରି କାରାଖାନା ଠାବ, ୩ ଗିରଫ
ରାୟଗଡ଼ା : ଗୁଣୁପୁରରେ ପୋଲିସକୁ ବଡ ସଫଳତା। ବନ୍ଧୁକ ତିଆରି କାରାଖାନା ଉପରେ ଚଢାଉ କରି ବିପୁଳ ପରିମାଣର ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଉକୁମ୍ୱା ଅଞ୍ଚଳରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଦଶପଲା ଅଞ୍ଚଳର ଦେବ ଦୁର୍ଲଭଙ୍କଠାରୁ ପ୍ରଥମେ ବନ୍ଧୁକ ପାଇଥିଲା ପୋଲିସ। ପରେ ପୋଲିସ ତାଙ୍କ ଘରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି, ୫ଟି ଛୋଟ ଆଇରନ ଚିପ୍ସ, ଗୋଟିଏ ବଡ ଛୁରି ଜବତ କରିଥିଲା । ଦେବ ଦୁର୍ଲଭଙ୍କୁ ଗିରଫ କରି ଅଧିକା ପଚରାଉଚରା କରିବା ପରେ ପୋଲିସ ବନ୍ଧୁକ କାରଖାନାର ସନ୍ଧାନ ପାଇଥିଲା । ଗୁଣପୁର ପୋଲିସ ଚକାପାଦ ଅଞ୍ଚଳରେ ଥିବା ତ୍ରିନାଥ ଏବଂ ଭାବଗ୍ରାହିଙ୍କ ଘରେ ଚଢାଉ କରିଥିଲେ । ଚଢାଉ ସମୟରେ ପୋଲିସ ସେଠାରେ ବନ୍ଧୁକ ତିଆରି ହେଉଥିବା ଏବଂ ଅନ୍ୟ ମାନଙ୍କୁ ବିକ୍ରୟ ହେଉଥିବା ଜାଣିବାକୁ ପାଇଥିଲା । ଶେଷରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ରାଇଫଲ,ଗୋଟିଏ ପିସ୍ତଲ ଏବଂ ରିଭଲଭର ସହ ବନ୍ଧୁକ ତିଆରି ସାମଗ୍ରୀ, ଯନ୍ତ୍ରପାତି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଦଶପଲା ଅଞ୍ଚଳର ଦେବଦୁର୍ଲଭ ମହାପାତ୍ର, କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହୀ ବିନ୍ଧାଣି ।ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଯଶବନ୍ତ ହିଆଲ ସୂଚନା ଦେଇଛନ୍ତି ।
