ଆଇପିଏଲ-୨୦୨୧ : ୯ ୱିକେଟରେ ଜିତିଲା କେକେଆର୍
ଆବୁଧାବି : ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମ ଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚରେ ୯ ୱିକେଟରେ ଜିତିଲା କେକେଆର୍। ବାଙ୍ଗାଲୋର ଦ୍ୱାରା ରଖାଯାଇଥିବା ୯୩ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦ମ ଓଭରରେ ଗୋଟିଏ ମାତ୍ର ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶୁଭମାନ ଗିଲ୍ ୪୮ ରନ କରି ଏକମାତ୍ର ବ୍ୟାଟସମାନ ଭାବେ ଆଉଟ୍ ହୋଇଥିଲେ। ପଦାର୍ପଣ କରିଥିବା ଭେଙ୍କଟେଶ ଆୟର ୪୧ ରନ କରି ଅପରାଜିତ ଥିଲେ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆରସିବିକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଇନିଂସର ଦ୍ୱିତୀୟ ଓଭରରେ କେକେଆର୍ ପେସର୍ ପ୍ରସିଦ୍ଧ କୃଷ୍ଣ କୋହଲିଙ୍କୁ ଆଉଟ୍ ବଡ଼ ସଫଳତା ହାସଲ କରିଥିଲେ। କୋହଲି ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦେବିଦତ୍ତ ପାଡିକଲ୍ ଓ ଡେବ୍ୟୁଟାଣ୍ଟ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍ ପାଇଁ ୩୧ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଆରସିବିର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା। ପାଡିକଲ(୨୨)ଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଭରତ (୧୬)ଙ୍କୁ ଆନ୍ଦ୍ରେ ରସେଲ୍ ଆଉଟ୍ କରିଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ନିରାଶ କରିଥିଲେ। ଡି’ଭିଲିୟର୍ସ ଆସୁ ଆସୁ ରସେଲଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ମ୍ୟାକ୍ସୱେଲ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଲୋୟର୍ ଅର୍ଡରରେ ସଚିନ ବେବି (୭), ପ୍ରଥମଥର ଆଇପିଏଲ୍ ଖେଳୁଥିବା ୱାନିନ୍ଦୁ ହସରଙ୍ଗା (୦), କାଇଲ୍ ଜେମିସନ୍ (୪), ହର୍ଷଲ୍ ପଟେଲ୍ (୧୨), ମହମ୍ମଦ ସିରାଜ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୟୁଜବେନ୍ଦ୍ର ଚହଲ୍ ୨ ରନ୍ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ବରୁନ୍ ଓ ରସେଲ୍ ୩ଟି ଲେଖାଏ, ଫର୍ଗୁସନ୍ ୨ଟି ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ୱିକେଟ୍ ନେଇଥିଲେ।
୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକାତାର ଦୁଇ ଓପନର ଶୁବମାନ ଗିଲ୍ ଓ ପଦାର୍ପଣ କରିଥିବା ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍ରେ ୯.୧ ଓଭରରେ ୮୨ ରନ ଯୋଡି ଦଳକୁ ଏକ ତରଫା ବିଜୟ ଦେଇଛନ୍ତି। ଶୁବମାନ ଗିଲ୍ ୩୪ ବଲରୁ ୬ ଚୌକା ଓ ୧ ଛକା ସହ ୪୮ ରନ କରି ଆଉଟ୍ ହୋଇଥିଲେ। ଆୟର ୨୭ ବଲ୍ରୁ ୭ ଚୌକା ଓ ୧ ଛକା ସହ ୪୧ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଦଳ ୧୦ ଓଭରରେ ଏକ ମାତ୍ର ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଆରସିବି ୮ଟି ମ୍ୟାଚ୍ରୁ ତୃତୀୟ ପରାଜୟ ଭୋଗିଥିବା ବେଳେ କେକେଆର ସମାନ ୮ଟି ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମକୁ ଉଠିଛି।
