ବାପା ଓ ଶିଶୁକନ୍ୟାକୁ ହାଣିବା ଅଭିଯୋଗ : ଅଭିଯୁକ୍ତକୁ ୭ ବର୍ଷ ଜେଲ୍ଦଣ୍ଡ
ବାଲେଶ୍ୱର : ତିନି ମାସର ଶିଶୁକନ୍ୟା ଓ ତାର ବାପାକୁ ହାଣି ବିକଳାଙ୍ଗ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜି ମାନ୍ୟବର ସହକାରୀ ଦୌରାଜଜ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୩ମାସ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ୨୦୨୦ ମସିହା ଅଗଷ୍ଟ ମାସ ୧୧ତାରିଖରେ ଔପଦା ଥାନା ଅଧିନସ୍ଥ ପାଇକପଡ଼ା ଗ୍ରାମରେ ବାଇଧର ନାଇକଙ୍କ ପୁଅ ଗଣେଶ (୨୫) ତାଙ୍କ ଘରେ ନିଜ ଭାଇ ଭରତଙ୍କ ସହ ଗଣ୍ଡଗୋଳ ଲାଗିଥିଲେ । ସେହି ଗ୍ରାମର ପଙ୍କଜ ନାଇକଙ୍କ ଘରେ ଭରତଙ୍କୁ ଆଶ୍ରୟ ଦେବାରୁ ଗଣେଶ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ପଙ୍କଜକୁ ଆକ୍ରମଣ କରିଥିଲେ । ଫଳରେ ପଙ୍କଜ କୋଳରେ ଥିବା ୩ମାସର ଶିଶୁ କନ୍ୟା ହାତରେ ଧାରୁଆ ଅସ୍ତ୍ରଟି ବାଜିବାରୁ ଦେହରୁ ହାତଟି ଅଲଗା ହୋଇଯାଇଥିଲା । ଏପରିକି ପଙ୍କଜଙ୍କ ଡାହାଣ ହାତରେ ମଧ୍ୟ ଗଭୀର କ୍ଷତ ଲାଗିଥିଲା । କୁନି ଝିଅଟି କଟକ ବଡ଼ ଡାକ୍ତରଖାନାରେ ହାତଟି ଯୋଡ଼ା ଯାଇଥିଲେ ମଧ୍ୟ ଡାକ୍ତର ଙ୍କ ଶତ ଚେଷ୍ଟା ପରେ ମଧ୍ୟ ବିଫଳ ହେବାରୁ ସବୁଦିନ ପାଇଁ ସେ ବିକଳାଙ୍ଗ ହୋଇଛନ୍ତି । ପଙ୍କଜ ଭାଇର ଏତଲା ମୂଳେ ଔପଦା ଥାନାରେ ୬୭ନଂ. ମାମଲା ରୁଜୁ କରାଯାଇ ଗଣେଶକୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଥିଲା । ଉକ୍ତ ମାମଲାରେ ୧୧ଜଣ ସାକ୍ଷୀ ଓ ସମସ୍ତ କାଗଜପତ୍ରକୁ ଆଧାର କରି ମାନ୍ୟବର ସହକାରୀ ଦୌରାଜଜ ମଧୁସ୍ମିତା ଜେନା ମୁଦାଲାଙ୍କୁ ୩୨୬ ଓ ୪୫୮ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମୋକଦ୍ଦମାକୁ ଆଡ଼ିସନାଲ ପି.ପି. ଅମରେନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ । ପୀଡ଼ିତାମାନଙ୍କୁ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ସୁପାରିଶ କରିଛନ୍ତି ।
