ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ନେଇ ଚର୍ଚ୍ଚା : ସୁନୀଲ ଜାଖଡ଼ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ !
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସରେ କନ୍ଦଳ ଏବେ ଉଗ୍ରରୂପ ଧାରଣ କରିଛି । କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ହେବାକୁ ଥିବା ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି ହୋଇପାରେ । ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପଞ୍ଜାବ ସରକାରରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ଜଣାପଡ଼ିଛି।
କ୍ୟାପ୍ଟେନ ସିଂହଙ୍କୁ ହଟାଇ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଜାଖଡ଼ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଯୋଜନା କରୁଥିବା କୁହାଯାଉଛି। ବିଧାୟକ ଦଳ ବୈଠକ ପୂର୍ବରୁ କ୍ୟାପ୍ଟେନ ସିଂହ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ବିଧାୟକ ଦଳ ବୈଠକ ପୂର୍ବରୁ ସୁନୀଲ ଜାଖଡ଼ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ଅନୁସାରେ, ପଞ୍ଜାବ କଂଗ୍ରେସରେ କନ୍ଦଳ ସମାଧାନ କରିବାକୁ ରାହୁଲ ଗାନ୍ଧି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା କେବଳ ରାଜ୍ୟ ସଂଗଠନକୁ ସୁଦୃଢ଼ କରିବ ତାହା ନୁହେଁ ବରଂ ଅକାଳି ଦଳକୁ ଜୋରଦାର ଝଟ୍କା ଲାଗିବ। ସେ ଟ୍ବିଟ୍ କରିଛନ୍ତି, ‘ବାହାଃ ରାହୁଲ ଗାନ୍ଧି, ଆପଣ ବିଗିଡ଼ିଥିବା ପରିସ୍ଥିତିର ସମାଧାନର ରାସ୍ତା ଖୋଜି ବାହାର କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଏହି ଐତିହାସିକ ନିଷ୍ପତ୍ତି କେବଳ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରମୁଗ୍ଧ କରିବ ତାହା ନୁହେଁ ଅକାଳି ଦଳର ଭିତ୍ତିଭୂମି ଦୋହଲାଇଦେବ।’ ମିଳିଥିବା ସୂଚନା ଅନୁସାରେ, ଏଆଇସିସି ନିର୍ଦେଶ କ୍ରମେ ପଞ୍ଜାବରେ ବିଧାୟକ ଦଳ ବୈଠକ ଆୟୋଜିତ ହେବାକୁ ଯାଉଛି। କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପ୍ରଭାରୀ ହରୀଶ ରାଓ୍ବତ ଶୁକ୍ରବାର ରାତିରେ ଏନେଇ ଘୋଷଣା କରିଥିଲେ।
