ଉଛୁଳୁଛି ମହାନଦୀ, ତଳିଆ ଅଞ୍ଚଳକୁ ଭୟ : ନରାଜ ଠାରେ ସତର୍କ ସଙ୍କେତ ଉପରେ
????????????????????????????????????
କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର । ନରାଜଠାରେ ସତର୍କ ସଙ୍କେତ ଉପରେ ବହୁଛି ମହାନଦୀ ଜଳ। ହୀରାକୁଦ ଡ୍ୟାମ୍ରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ତେଣୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ସାମାନ୍ୟ କମିଥିବା ବେଳେ ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ୍ରୁ ଛଡ଼ା ଯାଇଥିବା ବନ୍ୟା ଜଳ ମହାନଦୀରେ ପହଞ୍ଚିବା ପରେ ନରାଜଠାରେ ବଢୁଛି ନଦୀର ଜଳସ୍ତର ।
ଛତିଶଗଡରେ ପ୍ରବଳ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ୍ର ୨୮ଟି ଗେଟ୍ ଖୋଲାଯାଇଛି । ଫଳରେ ଶନିବାର ପୂର୍ବାହ୍ନରେ ୮ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ । ତେଣୁ ମହାନଦୀରେ ବନ୍ୟା ଆସିପାରେ ବୋଲି ଆକଳନ କରାଯାଉଛି । ଏହା ପ୍ରଭାବରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲା ଦେଇ ପ୍ରବାହିତ ନଦୀଗୁଡିକରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ମଧ୍ୟ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ୬ଟି ଜିଲ୍ଲାରେ ୩୦ଟି ଓଡ୍ରାଫ ଟିମ, ୧୨ ଟିମ୍ ଏନଡିଆରଏଫ ଓ ଅଗ୍ନିଶମ ସେବା ସଂସ୍ଥାକୁ ମୁତୟନ କରାଯାଇଛି । ଗତକାଲି ଖୋଦ୍ ଜଳ ସଂପଦ ବିଭାଗର ସଚିବ ଅନୁ ଗର୍ଗଙ୍କ ସହିତସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ମୁଖ୍ୟ ଯନ୍ତ୍ରୀ ଦିଲ୍ଲିପ କୁମାର ସାମଲ, ଭକ୍ତରଂଜନ ମହାନ୍ତି, ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ ନଦୀ ବନ୍ଧ ସହ ଉଭୟ ମହାନଦୀ ଓ କାଠଯୋଡି ବନ୍ଧର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ । ତେବେ ବନ୍ୟା ନିୟନ୍ତ୍ରଣ ପାଇଁ କଟକସ୍ଥିତ ଡ୍ରେନେଜ ଡିଭିଜନର ମୁଖ୍ୟ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଂ ସାହୁଙ୍କ ପରାମର୍ଶ କ୍ରମେ ଆଜି ସକାଳେ ଉଭୟ ମହାନଦୀ ନର୍ଥ ଓ ସାଉଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି, ଅମରେନ୍ଦ୍ର କୁମାର ମହାପାତ୍ର ନଦୀବନ୍ଧଗୁଡିକର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିବାର ଜିଲ୍ଲାପାଳଙ୍କୁ ଦର୍ଶାଇଛନ୍ତି । ମୁଖ୍ୟତଃ ରାତ୍ର ସମୟରେ ପାଟ୍ରୋଲିଙ୍ଗ୍, ଦୁର୍ବଳ ସ୍ଥାନରେ ବାଲିବସ୍ତାକୁ ମହଜୁଦ ରଖାଯାଇ ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ ।
