ଜରୁରୀକାଳିନ ନମ୍ବର ୧୧୨ରେ ତତକ୍ଷଣାତ୍ ସେବା ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁୁବନେଶ୍ୱର : ଏକକ ଜରୁରୀକାଳିନ ଫୋନ୍ ନମ୍ବର ୧୧୨ କୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଜଣାଇଥିଲେ ଯେ ଇତି ମଧ୍ୟରେ ୧୧୨ ଫୋନ୍ ନମ୍ବରକୁ କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳିନ ପୋଲିସ ଏବଂ ଅଗ୍ନିଶମ ସେବାକୁ ଏହା ସହ ସମ୍ବନ୍ୱିତ କରାଯାଇଛି । ଏହି ନୂଆ ନମ୍ବର ବିଷୟରେ ଲଗାତାର ଭାବେ ଜନସଚେତନତା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୃହ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଜରୁରୀକାଳିନ ସେବାକୁ ୧୧୨ ନମ୍ବର ସହ ସମନ୍ୱିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଫୋନ୍ ମିଳିବା ସଙ୍ଗେ ସଙ୍ଗେ ତତକ୍ଷଣାତ୍ ସେବା ଯୋଗାଣପାଇଁ ଏହି ନୂଆ ବ୍ୟବସ୍ଥାକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ମାନବ ସମ୍ବଳ, ଗାଡ଼ି, ଆମ୍ବୁଲାନ୍ସ୍ର ଯାତାୟତ ସମ୍ବନ୍ଧିତ ସର୍ବଶେଷ ସ୍ଥିତି ସମ୍ବନ୍ଧିତ ସୂଚନା ଆଦି ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ସେବାପରି ଗୁରୁତ୍ୱପୂର୍ଣ୍ଣ ଜରୁରୀ ଫୋନ୍ କଲ୍ ଗୁଡ଼ିକ ଉପରେ ତତକ୍ଷଣାତ୍ ୍ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଲ୍ ସେଂଟରର କର୍ମଚାରୀ ମାନଙ୍କୁ ସଠିକ ୍ଭାବେ ତାଲିମ୍ ଦେବା; ଏବଂ, କଲ୍ ସେଂଟର ସହ ବିଭିନ୍ନ ବିଭାଗର ସେବା ଯୋଗାଣ ବ୍ୟବସ୍ଥାକୁ ପୂର୍ଣ୍ଣ ମାତ୍ରାରେ ସମନ୍ୱିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତମାନ ରାଜ୍ୟ ଜରୁରୀକାଳିନ ଜବାବ କେନ୍ଦ୍ର ୧୧୨ କୁ ୨୪ ଘଂଟିଆ ଭିତିରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ରରେ ଫୋନ କଲ୍ ଧରିବା ଏବଂ ସେବା ପାଇଁ ଜବାବ୍ ଦେବା ନିମନ୍ତେ ୧୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅଗଷ୍ଟ ମାସରେ ଏହି କେନ୍ଦ୍ରରେ ୮୭୦୮ ଟି କଲ୍ ପଞ୍ଜୀକୃତ ହୋଇଥିଲା । ସେଥିରୁ ୭୯୫୭ ଜଣଙ୍କୁ ଆବଶ୍ୟକୀୟ ପୋଲିସ୍ ସେବା ଏବଂ ୫୮୫ ଜଣଙ୍କୁ ଅଗ୍ନିଶ୍ରମ ସେବା ଯୋଗାଇ ଦିଆଯାଇଥିଲା । ୧୬୬ ଟି ଫୋନ କଲ୍ ରେ ଅନୁରୋଧ କରାଯାଇଥିବା ସେବା ଜବାବ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ଏହାଛଡ଼ା ୧୯୧୫ ଟି ଫୋନ୍ କଲ୍ କୁ ଆମ୍ବୁଲାନ୍ସ୍ ସେବା ସହ ସଂଯୋଜିତ କରାଯାଇଥିଲା । ବର୍ତମାନ ୧୦୮ ଫୋନ୍ ନମ୍ବରକୁ ଦୈନିକ ହାରାହାରି ୩୦ ହଜାର କଲ୍ ଆସୁଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଜଣାଇଥିଲେ । ୧୦୮ ଆମ୍ବୁଲାନ୍ସ୍ ସେବା ୧୧୨ ସହ ସଂଯୋଜିତ ହେବା ପୂର୍ବରୁ ଅଧିକ ଗାଡି, ମାନବ ଓ ସମ୍ବଳ ତାଲିମ୍ ଆଦି ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍, ଅଗ୍ନିଶମ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳାଙ୍କ ସମେତ ବିଭିନ୍ନ ପ୍ରକାର ଜରୁରୀକାଳିନ ସେବା ଯୋଗାଣ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
