ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କଲା ତାଲିବାନୀ
କାବୁଲ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଆଫଗାନିସ୍ତାନରେ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରାଯାଇଛି । ବାଂଶରୀ ଲାଲ୍ ଅରେନ୍ଦେ ନାମରେ ଆଫଗାନିସ୍ତାନ-ଜନ୍ମିତ ଜଣେ ୫୦ ବର୍ଷିୟ ଭାରତୀୟ ନାଗରିକଙ୍କୁ ବନ୍ଧୁକ ଦେଖାଇ କାବୁଲ୍ରୁ ଅପହରଣ କରି ନିଆଯାଇଥିବା କଥା ‘ଇଣ୍ଡିଆନ୍ ୱାର୍ଲଡ୍ ଫୋରମ୍’ର ଅଧ୍ୟକ୍ଷ ପୁନୀତ ସିଂହ ଚାନ୍ଧୋକ୍ କହିଛନ୍ତି। ସେ କହିଛନ୍ତି, ଏ କଥା ମୁଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅବଗତ କରାଇବା ସହ ତୁରନ୍ତ ସେମାନଙ୍କ ହସ୍ତକ୍ଷେପ ଓ ସହଯୋଗ ପାଇଁ ଅନୁରୋଧ କରିଛି। ପୁନୀତ୍ ସିଂହ ଚାନ୍ଧୋକ୍ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ସକାଳ ପ୍ରାୟ ୮ ବେଳେ ତାଙ୍କ ଦୋକାନ ପରିସରରୁ ବାଂଶରୀ ଲାଲ୍ ଅରେନ୍ଦେଙ୍କୁ ଅପହରଣ କରି ନିଆଯାଇଥିବା ବିଷୟରେ ‘ଆଫଗାନ୍-ହିନ୍ଦୁ ଶିଖ୍’ ସମ୍ପ୍ରଦାୟ ମତେ ଜଣାଇଥିଲେ। ସେ ଔଷଧପତ୍ର ବ୍ୟବସାୟ କରନ୍ତି ଏବଂ ଅପହୃତ ହେବା ପୂର୍ବରୁ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।
ସେ ଦୋକାନକୁ ଯାଉଥିବା କାର୍ର ପଛପଟେ ମାଡ଼ ହୋଇଥିଲା। ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟତା କୋରୋଲା କାର୍ର ନେଇଯାଇଥିଲେ। ତାଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ ଅପହରଣ କରି ନିଆଯାଇଥିଲା, କିନ୍ତୁ କୌଣସିମତେ କର୍ମଚାରୀଜଣକ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ। ଅପହରଣକାରୀମାନେ ଅତି ନିର୍ଦ୍ଦୟ ଭାବେ ତାଙ୍କୁ ମାରଧର କରିଛନ୍ତି। କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ୍ରେ ଘଟଣାଟି ଘଟିଛି। ଏ ସଂକ୍ରାନ୍ତରେ କିଛି ଜାଣି ନ ଥିବା କଥା ‘ଆନ୍ତର୍ଜାତିକ ଗଣମାଧ୍ୟମ’ ନିମନ୍ତେ ନିଯୁକ୍ତ ତାଲିବାନ୍ ମୁଖପାତ୍ର କହିଛନ୍ତି। କିନ୍ତୁ, ସମ୍ପୃକ୍ତ ଅଧିକାରୀମାନଙ୍କ ଠାରୁ ସେ ଏ ବାବଦରେ ସୂଚନା ପାଇଲେ ଜଣାଇବେ ବୋଲି କହିଛନ୍ତି। ବାଂଶରୀ ଲାଲ୍ ଅରେନ୍ଦାଙ୍କ ପରିବାର ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବସବାସ କରନ୍ତି। ସ୍ଥାନୀୟ ସମ୍ପ୍ରଦାୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଯୋଗାଯୋଗ ରଖିଛନ୍ତି ଏବଂ ସ୍ଥାନୀୟ ତଦନ୍ତକାରୀ ଏଜେନ୍ସିଙ୍କ ନିକଟରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହାଛଡ଼ା, ତାଙ୍କୁ ଠାବ କରିବା ଲାଗି ତାଙ୍କର ବନ୍ଧୁବର୍ଗ ଦିନବେଳା ବିଭିନ୍ନ ଆଡ଼େ ତଲାସ ଚଳାଇଥିଲେ।
