ଦେଶ ସହ ଗର୍ଦ୍ଦାରି : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ୫ ସନ୍ଦିଗ୍ଧ ଅଟକ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ । କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କୁ ଘରୁ ଉଠାଇ ଆଣିଛି ପୋଲିସ ।
ସୂଚନା ଯେ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏକ ଠିକା ସଂସ୍ଥାରେ କିଛି ଯୁବକ କାମ କରନ୍ତି । ତେବେ ଏହି ଯୁବକମାନେ ପଡୋଶୀ ଦେଶର ଗୁପ୍ତଚରଙ୍କ ସଂପର୍କରେ ରହିଥିଲେ । ଏପିରିକି ପ୍ରତିରକ୍ଷା ବିଭାଗର କିଛି ଗୁପ୍ତ ତଥ୍ୟକୁ ପଡୋଶୀ ଦେଶର ଗୁପ୍ତଚରଙ୍କୁ ଯୋଗାଉଥିବା ଅଭିଯୋଗରେ ୫ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ସମସ୍ତ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ୫ ସନ୍ଦିଗ୍ଧଙ୍କ ବିଷୟରେ ବିଶେଷ କିଛି ତଥ୍ୟ ହାସଲ ହୋଇନାହିଁ । ଅଟକ ମଧ୍ୟରୁ ଜଣେ ଯିଏ ଲଞ୍ଚ ପ୍ୟାଡ୍ ୩ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା । ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ହେଡକ୍ୱାର୍ଟରକୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ପୋଲିସ ତତକ୍ଷଣାତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।
